ବାଣପୁର: ଆଜି ଗୋଦାବରୀଶ ମହାବିଦ୍ୟାଳୟ, ବାଣପୁରର ରୋଭର ଓ ରେଞ୍ଜରମାନଙ୍କ ପକ୍ଷରୁ ସାତ ଦିନିଆ ‘ପୁରୁଣା ବସ୍ତ୍ର ସଂଗ୍ରହ ଅଭିଯାନ’ର ଶୁଭାରମ୍ଭ କରାଯାଇଛି। ଏହି ଉଦ୍ଘାଟନୀ ସମାରୋହରେ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଏସ୍. ପି. ଏନ୍. ଏସ୍. ବର୍ମା ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ। ତାଙ୍କ ସହିତ ମହାବିଦ୍ୟାଳୟର ପ୍ରଶାସନିକ ବର୍ସର ତଥା ପୂର୍ବତନ ରୋଭର ସ୍କାଉଟ୍ ଲିଡର୍ ଆଦିତ୍ୟ ସାରଥୀ ବେଦମାତ୍ତା, ଡଃ ସୁଜାତା ମିଶ୍ର, ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟା ଏବଂ ଡଃ ଲକ୍ଷ୍ମୀପ୍ରିୟା ପାଲେଇ, ଇତିହାସ ବିଭାଗର ଅଧ୍ୟାପିକା ଓ ଏସ୍. ଘଟୁଆରୀ, ଶିକ୍ଷା ବିଭାଗର ଅଧ୍ୟାପିକା ମଧ୍ୟ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମଟି ରୋଭର ସ୍କାଉଟ୍ ଲିଡର୍ ଅଭିଜିତ ସାହୁ ଏବଂ ରେଞ୍ଜର ଗାଇଡ୍ ଲିଡର ଶ୍ରୀମତୀ ଉତ୍କଳିକା ପାଢ଼ୀଙ୍କ ମାର୍ଗଦର୍ଶନ ଓ ସହଯୋଗରେ ସମ୍ପନ୍ନ ହୋଇଥିଲା। ଏହି ଅଭିଯାନରେ ମୋଟ ୨୦ ଜଣ ରୋଭର ଓ ରେଞ୍ଜର ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଏକ ଆକର୍ଷଣୀୟ ଅଂଶ ଭାବେ ରୋଭର ଓ ରେଞ୍ଜରମାନଙ୍କ ଦ୍ୱାରା ଏକ ସଚେତନତାମୂଳକ ନାଟିକା ପରିବେଷଣ କରାଯାଇଥିଲା। ଏହି ନାଟିକା ମାଧ୍ୟମରେ ମାନବ ଜୀବନରେ ବସ୍ତ୍ରର ଗୁରୁତ୍ୱ, ପୁରୁଣା ବସ୍ତ୍ରର ପୁନଃବ୍ୟବହାର ଏବଂ ଅସହାୟ ଓ ଆବଶ୍ୟକତା ଥିବା ଲୋକଙ୍କୁ ବସ୍ତ୍ର ଦାନ କରିବାର ମହତ୍ତ୍ୱ ସମ୍ପର୍କରେ ସୁନ୍ଦର ବାର୍ତ୍ତା ପ୍ରଦାନ କରାଯାଇଥିଲା।
ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୁରୁଣା ବସ୍ତ୍ରର ସଦୁପଯୋଗ କରିବା ସହିତ ଆବଶ୍ୟକତା ଥିବା ଲୋକଙ୍କୁ ସହାୟତାର ହାତ ବଢ଼ାଇବା ଏବଂ ସମାଜରେ ଦାନ, ସହଯୋଗ ଓ ମାନବିକତାର ଭାବନାକୁ ଜାଗ୍ରତ କରିବା। ଏହିପରି ଏକ ମହତ୍ ଉଦ୍ଦେଶ୍ୟକୁ ନେଇ ରୋଭର ରେଞ୍ଜରମାନଙ୍କ ଏହି ସାତ ଦିନିଆ ଅଭିଯାନର ଶୁଭାରମ୍ଭ ହୋଇଥିଲା।


