ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଋଷିକେଶରେ ମଙ୍ଗଳବାର ସକାଳେ ଏକ ଭୟାବହ ବସ୍ ଦୁର୍ଘଟଣା ଘଟିଛି। ତେହରି ଗଡ଼ୱାଲ ଜିଲ୍ଲାର ଗୁଲାର ବଜାର ନିକଟରେ ଏକ ଯାତ୍ରୀବାହୀ ବସ୍ ପୋଲଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଗଭୀର ଘାଟିକୁ ଖସିପଡ଼ିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍ରେ ପ୍ରାୟ ୩୦ରୁ ୩୫ ଜଣ ଯାତ୍ରୀ ଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।
ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ SDRFର ବ୍ୟାସୀ ଏବଂ ଧଳୱାଲା ପୋଷ୍ଟର ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘାଟିରେ ଖସିପଡ଼ିଥିବା ବସ୍ରୁ ଯାତ୍ରୀମାନଙ୍କୁ ବାହାର କରିବା ପାଇଁ ଜୋରଦାର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟ ୨୦ ଜଣ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି।
ଘଟଣାର ଗମ୍ଭୀରତାକୁ ଦେଖି SDRF କମାଣ୍ଡର ଅର୍ପଣ ଯଦୁବଂଶୀଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଉଦ୍ଧାରକାରୀ ଦଳକୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି। ପୋଲିସ ବାହିନୀ ମଧ୍ୟ ସେଠାରେ ଉପସ୍ଥିତ ରହି SDRF ସହ ସମନ୍ୱୟ ରକ୍ଷା କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବସ୍ଟି କେଉଁ କାରଣରୁ ଘାଟିକୁ ଖସିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।


