ଖୋର୍ଦ୍ଧା: ସମ୍ଭାବ୍ୟ ବାତ୍ୟା ‘ଅକୱାନ’ର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରାକୃତିକ ଦୁର୍ବିପାକ ସମୟରେ ଜନସାଧାରଣଙ୍କ ସୁରକ୍ଷା, ରିଲିଫ୍, ଉଦ୍ଧାର ଏବଂ ଜରୁରୀକାଳୀନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ନିମନ୍ତେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏହି କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆଜିଠାରୁ ଆସନ୍ତା ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ଆଗାମୀ ୬ ଦିନ ପାଇଁ ଜିଲ୍ଲାର କୌଣସି ମଧ୍ୟ ସରକାରୀ କର୍ମଚାରୀ କିମ୍ବା ଅଧିକାରୀ ବିନା ଅନୁମତିରେ ନିଜସ୍ୱ କାର୍ଯ୍ୟାଳୟ କିମ୍ବା ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ। ପୂର୍ବରୁ ଯଦି କୌଣସି ଅଧିକାରୀ ଛୁଟି ପାଇଁ ଆବେଦନ କରିଥିଲେ କିମ୍ବା ମୁଖ୍ୟାଳୟ ଛାଡ଼ିବା ପାଇଁ ଅନୁମତି ପାଇଥିଲେ, ସେହି ସମସ୍ତ ଅନୁମତିକୁ ତତକ୍ଷଣାତ ରଦ୍ଦ କରାଯାଇଛି। ସେମାନଙ୍କୁ ତୁରନ୍ତ ନିଜ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି। ବାତ୍ୟା ସମୟରେ ସମ୍ଭବପର କ୍ଷୟକ୍ଷତିକୁ ଏଡ଼ାଇବା ଏବଂ ତ୍ୱରିତ ସେବା ଯାଇପାରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ସମସ୍ତ ବିଭାଗର କର୍ମଚାରୀମାନଙ୍କୁ ସର୍ବଦା ସତର୍କ ରହିବାକୁ ଏବଂ ନିଜ ନିଜ କର୍ମକ୍ଷେତ୍ରରେ ଉପସ୍ଥିତ ରହି ଜନସାଧାରଣଙ୍କ ସେବାରେ ନିୟୋଜିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।


