ଆରାରିଆ: ବିବାହ ଉତ୍ସବର ଖୁସି ମନାଇ ଘରକୁ ଫେରୁଥିଲେ। ମନରେ ଥିଲା ଉତ୍ସବର ଖୁସି, ଆଖିରେ ଥିଲା ଘରକୁ ଫେରିବାର ସ୍ୱପ୍ନ। ହେଲେ ଘରେ ପହଞ୍ଚିବା ପୂର୍ବରୁ ଛକି ବସିଥିଲା ମୃତ୍ୟୁ। ଅଧାରାତିରେ ଘଟିଲା ଭୟଙ୍କର ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ପୋଲ ଉପରୁ ପାଣିକୁ ଖସିପଡ଼ିଲା ଦ୍ରୁତଗାମୀ ସ୍କୋର୍ପିଓ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଛି। ଜଣେ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ବିବାହ ଉତ୍ସବର ହସଖୁସି ମାତ୍ର କେଇ ଘଣ୍ଟାରେ ଛାଇଗଲା ଶୋକର କଳାବାଦଲ।
ବିହାରର ଆରାରିଆ ଜିଲ୍ଲାର ବୈରଗଛି-ସିକ୍ଟି ମୁଖ୍ୟ ରାସ୍ତାର ବିଡ଼ି ବ୍ରିଜ୍ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏଭଳି ଦୁଃଖଦ ଘଟଣା ଘଟିଛି। ଏକ ତିଳକ ସମାରୋହରେ ଯୋଗଦେଇ ଫେରୁଥିବା ବେଳେ ସ୍କୋର୍ପିଓଟି ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସି ପାଣିରେ ପଡ଼ିଯାଇଥିଲା। ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ୬ ଜଣ ସୁପୌଲ ଜିଲ୍ଲାର ପିପ୍ରା ବ୍ଲକ୍ ଅନ୍ତର୍ଗତ ଥୁମ୍ହା ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି।
ପୁଲିସର ସୂଚନା ଅନୁଯାୟୀ, ସିକ୍ଟି ବ୍ଲକ୍ର ଧେଦୁଆ ପଞ୍ଚାୟତ ଅନ୍ତର୍ଗତ ଭାପାଟିଆ ଗ୍ରାମରେ ଆୟୋଜିତ ଏକ ତିଳକ ସମାରୋହରେ ଯୋଗଦେବା ପାଇଁ କିଛି ଲୋକ ସ୍କୋର୍ପିଓରେ ଯାଇଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ବିଳମ୍ବିତ ରାତିରେ ସମସ୍ତେ ନିଜ ଗାଁ ଥୁମ୍ହାକୁ ଫେରୁଥିଲେ। ହେଲେ ବୈରଗଛି-ସିକ୍ଟି ରାସ୍ତାର ବିଡ଼ି ବ୍ରିଜ୍ ନିକଟରେ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇଥିଲା। ଦେଖୁଦେଖୁ ପୋଲ ଉପରୁ ତଳକୁ ଖସି ପାଣିରେ ବୁଡ଼ିଯାଇଥିଲା ସ୍କୋର୍ପିଓ।
ସ୍ଥାନୀୟ ଲୋକଙ୍କ ସହଯୋଗରେ ବହୁ କଷ୍ଟରେ ପାଣି ଭିତରୁ ସ୍କୋର୍ପିଓକୁ ବାହାର କରାଯାଇଥିଲା। ଗାଡ଼ି ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରି ଆରାରିଆ ସଦର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଗୁରୁତର ଆହତଙ୍କ ଚିକିତ୍ସା ଜାରି ରହିଛି। ଏପଟେ ଦୁର୍ଘଟଣାର ଖବର ଥୁମ୍ହା ଗାଁରେ ପହଞ୍ଚିବା ପରେ ଖେଳିଯାଇଛି ଶୋକର ଛାୟା। ପୁଲିସ ସମସ୍ତ ୬ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ସ୍କୋର୍ପିଓଟି ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସିଲା, ତାହାର କାରଣ ଖୋଜୁଛି ପୁଲିସ।


