ଭୁବନେଶ୍ୱର: କୋଟିଆ ବିବାଦକୁ ନେଇ ବିଧାନସଭାରେ ପୁଣି ଥରେ ତୀବ୍ର ହଟ୍ଟଗୋଳ ଦେଖିବାକୁ ମିଳିଛି। କୋଟିଆ ପ୍ରସଙ୍ଗରେ ଗୃହ ଭିତରେ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବାହିନୀପତି କହିଛନ୍ତି ଯେ ଟ୍ରିପଲ ଇଞ୍ଜିନ ସରକାର ଚାହିଁଲେ କୋଟିଆ ସମସ୍ୟାର ସମାଧାନ ସହଜରେ ହୋଇପାରନ୍ତା। ଏନେଇ ବିଧାନସଭାରେ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରାଯାଉ ଏବଂ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମଗାଯାଉ। ଆନ୍ଧ୍ରପ୍ରଦେଶ ସରକାରଙ୍କ ବିରୋଧରେ ଆଇନଗତ ଓ ଗଣତାନ୍ତ୍ରିକ ଉପାୟରେ ଲଢ଼େଇ ଜାରି ରଖିବାକୁ ସେ ଦାବି କରିଛନ୍ତି। ଏହାର କଡ଼ା କାଉଣ୍ଟର କରି ବିଜେପି ବିଧାୟକ ରଘୁରାମ ମାଛ କହିଛନ୍ତି ଯେ ଆତ୍ମାହୁତି ଧମକ କେବଳ ଏକ ଧୂଆଁବାଣ ମାତ୍ର । ପୂର୍ବ ସରକାର ସମୟରେ କୋଟିଆର ବାସ୍ତବ ସ୍ଥିତି ପରଖିବାକୁ ଗ୍ରାଉଣ୍ଡକୁ ଯାଇନଥିଲେ, କିନ୍ତୁ ବର୍ତ୍ତମାନର ମୋହନ ସରକାର ଏ ଦିଗରେ ଆନ୍ତରିକ ପ୍ରୟାସ କରୁଛନ୍ତି। କୋଟିଆରେ ଆନ୍ଧ୍ରକୁ ଓଡ଼ିଶା ଭିତରେ ବୁଥ୍ କରାଇଦେଲୁନି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏଥିସହ କୋଟିଆ ଉନ୍ନୟନ ପରିଷଦ ଗଠନ କରାଯାଇ ଅଞ୍ଚଳର ବିକାଶକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି ବୋଲି ରଘୁରାମ ମାଛ ଗୃହରେ ସ୍ପଷ୍ଟ କରିଛନ୍ତି।


