ନୂଆଦିଲ୍ଲୀ: ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଇଫି)ର ଉଦ୍ଯାପନୀ ଉତ୍ସବରେ ପ୍ରଦର୍ଶିତ ହେବ ପ୍ରସିଦ୍ଧ ସିଙ୍ଗାପୁରୀ ଚଳଚ୍ଚିତ୍ର ନିର୍ମାତା ଆନ୍ଥୋନୀ ଚେନ୍ଙ୍କ ଚର୍ଚ୍ଚିତ ଫିଚର୍ ଫିଲ୍ମ ‘ୱି ଆର୍ ଅଲ୍ ଷ୍ଟ୍ରେଞ୍ଜର୍ସ’। ୨୦୨୬ ମସିହାରେ ନିର୍ମିତ ଏହି ସିଙ୍ଗାପୁରୀ ଚଳଚ୍ଚିତ୍ରଟି ମହୋତ୍ସବର ଉଦ୍ଯାପନୀ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହେବ। ଏହା ମାଧ୍ୟମରେ ଦର୍ଶକମାନେ ମାନବୀୟ ସମ୍ପର୍କ, ପାରିବାରିକ ବନ୍ଧନ ଏବଂ ସମସାମୟିକ ଜୀବନର ଜଟିଳତାକୁ ନେଇ ଏକ ଭାବପ୍ରବଣ ଚଳଚ୍ଚିତ୍ର ଅନୁଭୂତି ଲାଭ କରିବେ।
ସମସାମୟିକ ସିଙ୍ଗାପୁରର ଜୀବନଶୈଳୀ ପୃଷ୍ଠଭୂମି ଆଧାରରେ ନିର୍ମିତ ‘ୱି ଆର୍ ଅଲ୍ ଷ୍ଟ୍ରେଞ୍ଜର୍ସ’ ଚଳଚ୍ଚିତ୍ରଟି ୨୧ ବର୍ଷୀୟ ଯୁବକ ଜୁନ୍ୟାଙ୍ଗଙ୍କ କାହାଣୀ ଉପରେ ପର୍ଯ୍ୟବସିତ। ତାଙ୍କର ଚିନ୍ତାମୁକ୍ତ ଜୀବନ ହଠାତ୍ ଏକ ନୂଆ ମୋଡ଼ ନେଇଥାଏ, ଯେତେବେଳେ ପ୍ରେମ ସମ୍ପର୍କରେ ଅପ୍ରତ୍ୟାଶିତ ପରିବର୍ତ୍ତନ ଯୋଗୁଁ ତାଙ୍କୁ ଏବଂ ତାଙ୍କ ପ୍ରେମିକାଙ୍କୁ କଳ୍ପନାଠାରୁ ବହୁ ପୂର୍ବରୁ ବୟସ୍କ ଜୀବନର ଦାୟିତ୍ୱ ଓ ଗୁରୁତ୍ୱର ସମ୍ମୁଖୀନ ହେବାକୁ ପଡେ। ସେହି ସମୟରେ, ଜୁନ୍ୟାଙ୍ଗଙ୍କ ପରିଶ୍ରମୀ ପିତାଙ୍କ ଜୀବନରେ ଜଣେ ଉତ୍ସାହୀ ମହିଳାଙ୍କ ଆଗମନ’ ପିତା ଓ ପୁତ୍ରଙ୍କ ମଧ୍ୟରେ ଥିବା ନିରବ ସମ୍ପର୍କର ସନ୍ତୁଳନକୁ ଧୀରେ ଧୀରେ ବଦଳାଇ ଦିଏ। ଉଚ୍ଚକୋଟୀର ଅଭିନୟ ଦ୍ୱାରା ସମୃଦ୍ଧ ଏହି ଚଳଚ୍ଚିତ୍ରରେ ଦୁଇ ପିଢ଼ିର ଏହି ସମାନ୍ତରାଳ ଜୀବନଯାତ୍ରାକୁ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି। ଉଭୟ ପିଢ଼ି ପ୍ରେମ, ବିଚ୍ଛେଦ ଏବଂ ଦାୟିତ୍ୱବୋଧର ବିଭିନ୍ନ ଦିଗକୁ ସାମ୍ନା କରିବା ସହ ପରିବାରର ପରିଭାଷାକୁ ନୂଆ ରୂପ ଦେଇଛନ୍ତି। ଏହା ସହିତ ଜନ୍ମରୁ ମିଳିଥିବା ସମ୍ପର୍କ ଏବଂ ନିଜ ପସନ୍ଦରେ ଗଢ଼ି ଉଠିଥିବା ସମ୍ପର୍କ ମଧ୍ୟରେ ଥିବା ସୂକ୍ଷ୍ମ ଭାବନାତ୍ମକ ବନ୍ଧନକୁ ମଧ୍ୟ ଚଳଚ୍ଚିତ୍ରଟି ହୃଦୟସ୍ପର୍ଶୀ ଢଙ୍ଗରେ ଚିତ୍ରଣ କରିଛି।
‘ୱି ଆର୍ ଅଲ୍ ଷ୍ଟ୍ରେଞ୍ଜର୍ସ’ ହେଉଛି ଆନ୍ଥୋନୀ ଚେନ୍ଙ୍କ ଲୋକପ୍ରିୟ ‘ଗ୍ରୋଇଂ ଅପ୍’ ତ୍ରୟୀ ଚଳଚ୍ଚିତ୍ର ଶୃଙ୍ଖଳର ଏକ ନୂତନ ଅଧ୍ୟାୟ। ଏଥିରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଇଲୋ ଇଲୋ’ (Ilo Ilo, ୨୦୧୩)ରୁ ଆରମ୍ଭ ହୋଇଥିବା ସମ୍ବେଦନଶୀଳ ଏବଂ ଜୀବନର ବାସ୍ତବତାକୁ ନିଖୁଣ ଭାବେ ଉପସ୍ଥାପନ କରୁଥିବା କାହାଣୀ ଶୈଳୀ ଦେଖିବାକୁ ମିଳେ। ଏହି ପ୍ରଥମ ଚଳଚ୍ଚିତ୍ର ପାଇଁ ସେ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରତିଷ୍ଠିତ ‘କାମେରା ଡି’ଓର୍’ (Caméra d’Or) ପୁରସ୍କାର ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ‘ୱେଟ୍ ସିଜନ୍’ ଚଳଚ୍ଚିତ୍ର ମଧ୍ୟ ଏହି ଧାରାକୁ ଆଗେଇ ନେଇଥିଲା। ଗୋଆରେ ପ୍ରଦର୍ଶିତ ହେବା ପୂର୍ବରୁ ଏହି ଚଳଚ୍ଚିତ୍ରଟି ୨୦୨୬ ବର୍ଲିନ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବା ସହ ମେଲବର୍ଣ୍ଣ ଏବଂ ହେଲସିଙ୍କି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ମଧ୍ୟ ଉଚ୍ଚ ପ୍ରଶଂସା ଲାଭ କରିଥିଲା।
ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ନ୍ୟାସନାଲ୍ ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ୍ (ଏନ୍ଏଫ୍ଡିସି) ପକ୍ଷରୁ ଗୋଆର ଏଣ୍ଟରଟେନମେଣ୍ଟ ସୋସାଇଟି (ଇଏସ୍ଜି)ର ସହଯୋଗରେ ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଇଫି) ଆୟୋଜିତ ହେବ। ଏହି ମହୋତ୍ସବ ୨୦୨୬ ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆର ପାଣାଜୀଠାରେ ଅନୁଷ୍ଠିତ ହେବ। ‘ଷ୍ଟୋରୀଜ୍ ଉଇଦ୍ଆଉଟ୍ ବର୍ଡର’ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ଚଳଚ୍ଚିତ୍ର ମହୋତ୍ସବରେ ସମଗ୍ର ବିଶ୍ୱର ବିବିଧ ଚଳଚ୍ଚିତ୍ର ଧାରା, ସୃଜନଶୀଳ ଅଭିବ୍ୟକ୍ତି ଏବଂ ବିଭିନ୍ନ ଦେଶର କାହାଣୀକୁ ଏକ ମଞ୍ଚରେ ଏକତ୍ରିତ କରାଯିବ।


