ଭୁବନେଶ୍ଵର : ଓଡ଼ିଶାର ଅନୁସୂଚିତ ଅଞ୍ଚଳରେ ଗ୍ରାମସଭାର ଅଧିକାରକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟର ଲାଞ୍ଜିବେର୍ଣ୍ଣା ଖଣି ପାଇଁ ହୋଇଥିବା ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ।
ଜଷ୍ଟିସ୍ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟଙ୍କ ପୂର୍ବ ରାୟକୁ ରଦ୍ଦ କରିବା ସହ ଜମି ଅଧିଗ୍ରହଣ ସମ୍ପର୍କିତ ବିଜ୍ଞପ୍ତି ଓ ଆଦେଶଗୁଡ଼ିକୁ ମଧ୍ୟ ଅବୈଧ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଅନୁସୂଚିତ ଅଞ୍ଚଳରେ ଜମି ଅଧିଗ୍ରହଣ ପୂର୍ବରୁ ଗ୍ରାମସଭାର ସମ୍ମତି ବାଧ୍ୟତାମୂଳକ। ୨୦୧୩ ଜମି ଅଧିଗ୍ରହଣ ଆଇନର ଧାରା ୪୧(୩) ଅନୁଯାୟୀ, ଗ୍ରାମସଭାର ପୂର୍ବ ସମ୍ମତି ବିନା ଜମି ଅଧିଗ୍ରହଣ କରିବା ବେଆଇନ।
ସୂଚନା ଅନୁଯାୟୀ, ଲାଞ୍ଜିବେର୍ଣ୍ଣା ଓ ବିହାବନ୍ଧ ମୌଜାର ୨୭.୨୬ ଏକର ଓ ୯.୨୨ ଏକର ଜମି ଅଧିଗ୍ରହଣକୁ ନେଇ ବିବାଦ ଉପୁଜିଥିଲା। ୨୦୨୦ ଜାନୁଆରି ୨୬ରେ ଦୁଇଟି ଗ୍ରାମସଭା ଏହି ପ୍ରସ୍ତାବକୁ ଖାରଜ କରିଥିଲେ। ଏହା ସତ୍ତ୍ୱେ ପ୍ରଶାସନ ଜମି ଅଧିଗ୍ରହଣ ପ୍ରକ୍ରିୟା ଆଗକୁ ବଢ଼ାଇଥିଲା।
ପ୍ରଭାବିତ ଅଞ୍ଚଳର ଲୋକେ ଗ୍ରାମସଭାରେ ଜାଲିଆତି ଓ ଜନଶୁଣାଣି ନକରି ଜମି ଅଧିଗ୍ରହଣ ହୋଇଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ଫୋରମ୍ ଫର୍ ଗ୍ରାମସଭା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ସର୍ବୋଚ୍ଚ ଅଦାଲତ ଆହୁରି କହିଛନ୍ତି ଯେ, ଖଣି ଲିଜ୍ ମିଳିଥିଲେ ମଧ୍ୟ ତାହା ତୃତୀୟ ପକ୍ଷ ଜମି ମାଲିକଙ୍କ ସମ୍ପତ୍ତି ଅଧିକାରକୁ କ୍ଷୁଣ୍ଣ କରିପାରିବ ନାହିଁ। ତେବେ ଆଇନ ଅନୁଯାୟୀ ନୂଆ କରି ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବାର ସୁଯୋଗ ରହିଛି। ଏହି ରାୟ ଅନୁସୂଚିତ ଅଞ୍ଚଳରେ ଗ୍ରାମସଭାର ଅଧିକାର ଓ ଆଦିବାସୀଙ୍କ ଜମି ସୁରକ୍ଷାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ନଜିର ସୃଷ୍ଟି କରିଛି।


