ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅକଭାନ୍’କୁ ନେଇ ଓଡ଼ିଶାରେ ବଢ଼ିଛି ଆତଙ୍କ। ଧୀରେ ଧୀରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ମୁହାଁଉଥିବା ଏହି ସାମୁଦ୍ରିକ ଝଡ଼ ଶୁକ୍ରବାର ଗୋପାଳପୁର ନିକଟରେ ଉପକୂଳ ଅତିକ୍ରମ କରିବାର ଆଶଙ୍କା ରହିଛି। ବାତ୍ୟାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପବନର ବେଗ ବଢ଼ିବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅତିପ୍ରବଳ ବର୍ଷା ହେବ। ଏପରିକି ବାତ୍ୟାର କେନ୍ଦ୍ରସ୍ଥଳଠାରୁ ଦୂରରେ ଥିବା ଜିଲ୍ଲାଗୁଡ଼ିକ ମଧ୍ୟ ଏହାର ପ୍ରଭାବରୁ ବର୍ତ୍ତିବେ ନାହିଁ। ଏହାକୁ ଦୃଷ୍ଟିରେ ରଖି ସରକାର ଓ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି।
ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଗୁରୁବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ୩ ଲକ୍ଷ ଲୋକଙ୍କୁ ବିପଦସଙ୍କୁଳ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଲୋକଙ୍କ ରହିବା ପାଇଁ ୨,୫୨୩ଟି ରିଲିଫ୍ କ୍ୟାମ୍ପ ଓ ୯,୩୪୧ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି। ଏହାସହ ODRAF, NDRF ଓ ଅଗ୍ନିଶମ ବାହିନୀକୁ ମିଶାଇ ମୋଟ ୪୨୩ଟି ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ମଧ୍ୟରାତ୍ରିରେ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟରେ ଜରୁରୀକାଳୀନ ସମୀକ୍ଷା ବୈଠକ କରି ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ପାଣିପାଗ ବିଭାଗର ସଦ୍ୟତମ ସୂଚନା ଆଧାରରେ ୨୦ଟି ଜିଲ୍ଲାରେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଜନଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ରହିଛି।
ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ବିଶେଷକରି ଗଜପତି ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିଛି। ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର ୧୯ ତାରିଖର ୨୪ ଘଣ୍ଟିଆ ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ ମୋଟ ୧୬୪.୩୦ ମିମି ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର ହାରାହାରି ବର୍ଷା ୨୦.୫୪ ମିମି ରହିଛି।
ମୋହନା ବ୍ଲକ୍ରେ ସର୍ବାଧିକ ୭୭.୨ ମିମି ବର୍ଷା ହୋଇଥିବା ବେଳେ ଗୋସାଣିରେ ୨୯.୬ ମିମି, ନୂଆଗଡ଼ରେ ୧୨.୬ ମିମି, ପାରଳାଖେମୁଣ୍ଡିରେ ୧୧.୭ ମିମି, ଗୁମ୍ମାରେ ୧୧.୪ ମିମି, ରାୟଗଡ଼ାରେ ୧୧.୨ ମିମି ଓ ଆର୍.ଉଦୟଗିରିରେ ୧୦.୬ ମିମି ବର୍ଷା ହୋଇଛି। ରାତି ୧୨ଟା ୩୦ରୁ ଭୋର୍ ୨ଟା ୩୦ ମଧ୍ୟରେ ୩୯.୨ ମିମି ବର୍ଷା ହୋଇଥିବା ବେଳେ କେବଳ ମୋହନାରେ ୩୮.୨ ମିମି ବର୍ଷା ରେକର୍ଡ ହୋଇଛି।
ବାତ୍ୟାର ପ୍ରଭାବରେ ୨୦ ତାରିଖ ସକାଳ ସୁଦ୍ଧା ରାଜ୍ୟର ୬ଟି ଜିଲ୍ଲାରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଗଞ୍ଜାମ, ଜଗତସିଂହପୁର, ପୁରୀ, ଗଜପତି ଓ କନ୍ଧମାଳ। ଏସବୁ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ସେହିପରି ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି।
ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୟୂରଭଞ୍ଜ ଓ ବାଲେଶ୍ୱରରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପଟେ କେନ୍ଦୁଝର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତିରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏସବୁ ଅଞ୍ଚଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଭୀଷଣ ବାତ୍ୟା ‘ଅକଭାନ୍’ ବାରମ୍ବାର ଗତିପଥ ପରିବର୍ତ୍ତନ କରୁଛି। ଗୁରୁବାର ମଧ୍ୟରାତ୍ରି ସୁଦ୍ଧା ଏହା ଗୋପାଳପୁରଠାରୁ ପ୍ରାୟ ୩୦୦ କିମି, ପୁରୀଠାରୁ ୩୬୦ କିମି ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ଠାରୁ ୨୨୦ କିମି ଦୂରରେ କେନ୍ଦ୍ରୀଭୂତ ଥିଲା। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଶୁକ୍ରବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ଗୋପାଳପୁରର ପୂର୍ବ ଦିଗ ଦେଇ ଅତିକ୍ରମ କରିପାରେ।
ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିମି ରହିବା ସହ ଝଟକା ପବନ ୯୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ଭୋର୍ରୁ ବାତ୍ୟାର ବାହ୍ୟ ବଳୟ ଉପକୂଳରେ ପ୍ରବେଶ କରିବ। ପ୍ରାୟ ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିବ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
‘ଅକଭାନ୍’ ଭୀଷଣ ବାତ୍ୟାର ରୂପ ନେଇଥିଲେ ମଧ୍ୟ ଏଯାଏଁ ଏହାର କେନ୍ଦ୍ରରେ ସ୍ପଷ୍ଟ ଆଖି ସୃଷ୍ଟି ହୋଇନାହିଁ। ବାତ୍ୟାର ତୀବ୍ରତା ତୁଳନାତ୍ମକ ଭାବେ ଅଧିକ ନଥିଲେ ମଧ୍ୟ ଏହାର କେନ୍ଦ୍ରସ୍ଥଳଠାରୁ ପ୍ରାୟ ୭୫ କିମି ଦୂର ପର୍ଯ୍ୟନ୍ତ ମେଘମାଳା ବିସ୍ତାରିତ ହୋଇଛି। ଏହାର ପ୍ରଭାବରେ ବାତ୍ୟା ଉପକୂଳଠାରୁ ପ୍ରାୟ ୩୫୦ କିମି ଦୂରରେ ଥିବା ସତ୍ତ୍ୱେ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ସହ ଉପକୂଳରେ ବର୍ଷା ଆରମ୍ଭ ହୋଇଯାଇଛି।
ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ଶ୍ରୀକାକୁଲମ୍, ବିଜୟନଗରମ୍, ପଲାସା ଓ ସୋମପେଟା ଅଞ୍ଚଳରେ ଶୁକ୍ରବାର ସକାଳୁ ପବନର ବେଗ ବଢ଼ିବା ସହ ଘଣ୍ଟାପ୍ରତି ୧୦୦ କିମି ଛୁଇଁପାରେ। ଦକ୍ଷିଣ ଓଡ଼ିଶା ଉପକୂଳରେ ପବନର ବେଗ ସାମାନ୍ୟ କମ୍ ରହିବାର ଆକଳନ କରାଯାଇଛି।
ସ୍ଥଳଭାଗ ଅତିକ୍ରମ କରିବା ପରେ ବାତ୍ୟାର ତୀବ୍ରତା କ୍ରମଶଃ ହ୍ରାସ ପାଇବ। ଏହା ଭୀଷଣ ବାତ୍ୟାରୁ ବାତ୍ୟା ଓ ପରେ ଗଭୀର ଅବପାତରେ ପରିଣତ ହେବ। ପବନର ବେଗ ଧୀରେ ଧୀରେ ହ୍ରାସ ପାଇବା ସହ ଶୁକ୍ରବାର ରାତି ପ୍ରାୟ ୧୧ଟା ୩୦ ସୁଦ୍ଧା ଏହା ଗଭୀର ଅବପାତର ରୂପ ନେଇପାରେ। ୨୧ ତାରିଖ ସକାଳ ସୁଦ୍ଧା ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।
ତେବେ ପବନର ବେଗ କମିଗଲେ ମଧ୍ୟ ବର୍ଷାର ପ୍ରକୋପ କମିବାର ଆଶା କମ୍। ଦକ୍ଷିଣ ଓଡ଼ିଶାରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ବାତ୍ୟାଜନିତ ବର୍ଷାର ପ୍ରଭାବ ରହିବ। ତେଣୁ ଆଗାମୀ ୨୪ ଘଣ୍ଟା ଓଡ଼ିଶା ପାଇଁ ଅତ୍ୟନ୍ତ ସତର୍କତାର ସମୟ। ବିଶେଷକରି ନଦୀ ଅବବାହିକା, ତଳିଆ ଅଞ୍ଚଳ ଓ ପାହାଡ଼ିଆ ଅଞ୍ଚଳରେ ଜଳବନ୍ଦୀ, ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଭଳି ସମସ୍ୟାକୁ ଏଡ଼ାଇବା ପାଇଁ ପ୍ରଶାସନ ସତର୍କ ରହିଛି।
ବାତ୍ୟାର ଗତିପଥ ଓ ପବନର ବେଗ ଉପରେ ନଜର ରହିଥିବାବେଳେ ଏବେ ସବୁଠୁ ବଡ଼ ଚିନ୍ତା ପାଲଟିଛି ସାରା ଓଡ଼ିଶାରେ ହେବାକୁ ଥିବା ପ୍ରବଳ ବର୍ଷା। ପବନ ଥମିଯିବ, ହେଲେ ବର୍ଷା କେତେ ଦିନ ଯାଏଁ ଲୋକଙ୍କୁ ହନ୍ତସନ୍ତ କରିବ, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ।


