ସମ୍ବଲପୁର: ନାତିକୁ ସ୍କୁଲରେ ଛାଡ଼ିବାକୁ ଖୁସିରେ ଘରୁ ବାହାରିଥିଲେ ଅଜା। ହେଲେ କିଏ ଜାଣିଥିଲା, ସେହି ଯାତ୍ରା ହେବ ଉଭୟଙ୍କ ଜୀବନର ଶେଷ ଯାତ୍ରା! ରାସ୍ତା ପାର୍ ହେଉଥିବା ବେଳେ ଏକ ଅଜଣା ଗାଡ଼ିର ଧକ୍କାରେ ଚାଲିଗଲା ଅଜା ଓ ନାତିଙ୍କ ଜୀବନ। ସମ୍ବଲପୁର ଜିଲ୍ଲା ଏନ୍ଏଚ୍-୫୩ର ଗୋଶାଳା ବାବୁବନ୍ଧ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକାଠି ଦୁଇ ଜଣଙ୍କ ମୃତ୍ୟୁ ଖବରରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ, ମୃତ ଅଜା ଓ ନାତିଙ୍କ ଘର ସାନଟିକିରି ଗାଁରେ। ନାତିକୁ ସ୍କୁଲରେ ଛାଡ଼ିବା ପାଇଁ ଅଜା ତାଙ୍କ ସହ ଯାଉଥିଲେ। ଏହି ସମୟରେ ଉଭୟ ଏନ୍ଏଚ୍-୫୩ର ଗୋଶାଳା ବାବୁବନ୍ଧ ନିକଟରେ ରାସ୍ତା ପାର୍ ହେଉଥିଲେ। ହଠାତ୍ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର୍ଦାର ଥିଲା ଯେ, ଉଭୟ ଗୁରୁତର ହୋଇପଡ଼ିଥିଲେ।
ଦୁର୍ଘଟଣା ପରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣା ଘଟାଇଥିବା ଗାଡ଼ିଟି କେଉଁଠାରୁ ଆସିଥିଲା ଏବଂ ତାହାର ପରିଚୟ କ’ଣ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣା ପରେ ବୁର୍ଲା ପୋଲିସ ତଦନ୍ତ ଆରମ୍ଭ କରିଛି। ଅଜଣା ଗାଡ଼ିକୁ ଚିହ୍ନଟ କରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ଖୋଜୁଛି ପୋଲିସ। ଗୋଟିଏ ପଟେ ନାତିର ସ୍କୁଲ ଯିବାର ସ୍ୱପ୍ନ, ଅନ୍ୟପଟେ ଅଜାଙ୍କ ସ୍ନେହଭରା ସାଥ୍—ସବୁକିଛି ଗୋଟିଏ ମୁହୂର୍ତ୍ତରେ ଶେଷ ହୋଇଗଲା। ଏହି ଦୁର୍ଘଟଣା ସାନଟିକିରି ଗାଁ ସମେତ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।


