କଟକ: ବାତ୍ୟା ‘ଅକୱାନ’ର ସମ୍ଭାବ୍ୟ ପ୍ରଭାବକୁ ନେଇ କଟକ ଜିଲ୍ଲାରେ ବଢ଼ିଲା ସତର୍କତା। ଗତକାଲିଠାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ସକାଳୁ ମଧ୍ୟ କଟକ ସହର ସମେତ ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗର ଏହି ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଆଜି କଟକ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।
କେବଳ ଶିକ୍ଷାନୁଷ୍ଠାନ ବନ୍ଦ ନୁହେଁ, ଲୋକଙ୍କ ସୁରକ୍ଷା ପାଇଁ ନଦୀଘାଟକୁ ଯିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ତେଣୁ ନଦୀଘାଟକୁ ଯାଇ ଗାଧୋଇବା, ମାଛ ଧରିବା କିମ୍ବା ଅନ୍ୟ କୌଣସି କାମ କରିବାରୁ ଲୋକଙ୍କୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି।
ବିଶେଷକରି ନଦୀକୂଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଅଧିକ ସତର୍କ ରହିବାକୁ କୁହାଯାଇଛି। ଅଯଥାରେ ଘରୁ ବାହାରକୁ ନଯିବା ସହ ପାଣିପାଗ ସମ୍ପର୍କିତ ସରକାରୀ ସୂଚନା ଉପରେ ନଜର ରଖିବାକୁ ପ୍ରଶାସନ ପରାମର୍ଶ ଦେଇଛି। ଜରୁରୀ ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନର ସହାୟତା ନେବାକୁ ମଧ୍ୟ କୁହାଯାଇଛି।
ବାତ୍ୟା ‘ଅକଭାନ’ର ପ୍ରଭାବରେ ଆଗକୁ କଟକ ଜିଲ୍ଲାରେ ବର୍ଷାର ପରିମାଣ କେତେ ବଢ଼ିବ, ତାହାକୁ ନେଇ ଏବେ ଚିନ୍ତା ବଢ଼ିଛି। ଜିଲ୍ଲାରେ ବର୍ଷାର ସ୍ଥିତି, ନଦୀର ଜଳସ୍ତର ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି। ଏଭଳି ସମୟରେ ସାମାନ୍ୟ ଅସାବଧାନତା ବିପଦକୁ ଡାକି ଆଣିପାରେ। ତେଣୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବା ଜରୁରୀ।


