ନିର୍ବାଚନ ବେଳେ ଭୁଲ୍ ଜନ୍ମଗତ ପ୍ରମାଣପତ୍ର ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବତନ ବିଧାୟକ ଅମିତ ଯୋଗୀ। ବିଳାସପୁର ସ୍ଥିତ ବାସଭବନରେ ଅମିତ ଥିବା ବେଳେ ଛତିଶଗଡ଼ ପୁଲିସ ଆଜି ତାଙ୍କୁ ଗିରଫ କରିଛି। ଗିରଫ ବେଳେ ଅମିତଙ୍କ ସମର୍ଥକ ଓ ପୁଲିସ ପ୍ରଶାସନ ମଧ୍ୟରେ ଠେଲାପେଲା ହୋଇଥିବା ସୂଚନା ରହିଛି। ଅମିତଙ୍କ ସମର୍ଥକମାନେ ଏହି ସମୟରେ ପୁଲିସ ପ୍ରଶାସନ ବିରୋଧରେ ନାରାବାଜି ମଧ୍ୟ କରୁଥିଲେ। ଆଜି ଅମିତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ବିଳାସପୁର ଗ୍ରାମାଞ୍ଚଳ ଏସପି ସଞ୍ଜୟ କୁମାର ଧୃବ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ହୋଇଥିବା ଛତିଶଗଡ଼ ବିଧାନସଭା ନିର୍ବାଚନ ବେଳେ ଅମିତ ଯୋଗୀ ନିଜର ଜାତି ଓ ଜନ୍ମଗତ ପ୍ରମାଣ ପତ୍ର ଭୁଲ୍ ଦେଇଥିଲେ ବୋଲି ବିଜେପି ନେତା ସମୀରା ପୋକର ଛତିଶଗଡ଼ର ଗୋରଲା ଥାନାରେ ଏତଲା ଦେଇଥିଲେ।