ଭୁବନେଶ୍ୱର: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିପାରେ ବଡ଼ ଖୁସି ଖବର। ଏଣିକି ସମାନ ଶିକ୍ଷାଗତ ଯୋଗ୍ୟତା ଓ ସମାନ କାର୍ଯ୍ୟଦାୟିତ୍ୱ ଥିବା ବିଭିନ୍ନ ବିଭାଗର ପଦବୀ ପାଇଁ ଅଲଗା ଅଲଗା ପରୀକ୍ଷା ବଦଳରେ ଗୋଟିଏ ପରୀକ୍ଷା କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ନିଯୁକ୍ତି ପ୍ରକ୍ରିୟାକୁ ସରଳ, ସ୍ୱଚ୍ଛ ଓ ସମୟବଦ୍ଧ କରିବା ଉପରେ ଜୋର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିଯୁକ୍ତି ପରୀକ୍ଷାଠାରୁ ଆରମ୍ଭ କରି ଚୟନ ପ୍ରକ୍ରିୟା ଶେଷ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ରାଜ୍ୟର ହଜାର ହଜାର ଚାକିରି ଆଶାୟୀଙ୍କୁ ଏକାଧିକ ପରୀକ୍ଷାରୁ ମୁକ୍ତି ମିଳିପାରିବ।
ଗୋଟିଏ ଯୋଗ୍ୟତା, ଗୋଟିଏ ପରୀକ୍ଷା!
ସରକାରୀ ଚାକିରି ପାଇଁ ଆଶାୟୀଙ୍କୁ ଅନେକ ସମୟରେ ସମାନ ଶିକ୍ଷାଗତ ଯୋଗ୍ୟତା ଥିବା ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ପରୀକ୍ଷା ଦେବାକୁ ପଡ଼ିଥାଏ। ଏଥିପାଇଁ ଆବେଦନ, ପରୀକ୍ଷା ପ୍ରସ୍ତୁତି ଓ ଯାତାୟାତରେ ପ୍ରାର୍ଥୀଙ୍କୁ ଅଧିକ ସମୟ ଓ ଅର୍ଥ ଖର୍ଚ୍ଚ କରିବାକୁ ପଡ଼େ। ଏହି ସମସ୍ୟାକୁ ଦୂର କରିବାକୁ ନୂଆ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ତାଙ୍କ ମତରେ, ଯେଉଁ ପଦବୀଗୁଡ଼ିକ ପାଇଁ ସମାନ ଶିକ୍ଷାଗତ ଯୋଗ୍ୟତା, ବିଷୟଭିତ୍ତିକ ଜ୍ଞାନ ଓ କାର୍ଯ୍ୟଦାୟିତ୍ୱ ଆବଶ୍ୟକ, ସେଗୁଡ଼ିକ ପାଇଁ ଏକକ ପରୀକ୍ଷା ବ୍ୟବସ୍ଥା କରାଯାଇପାରିବ। ଏହାଦ୍ୱାରା ନିଯୁକ୍ତି ବ୍ୟବସ୍ଥାରେ ଅନାବଶ୍ୟକ ଜଟିଳତା କମିବା ସହ ପ୍ରାର୍ଥୀଙ୍କ ସମୟ ଓ ଅର୍ଥ ସଞ୍ଚୟ ହୋଇପାରିବ।
ପ୍ରତିବର୍ଷ ନିଯୁକ୍ତି ପାଇଁ ନିର୍ଦ୍ଦିଷ୍ଟ କ୍ୟାଲେଣ୍ଡର
କେବଳ ଗୋଟିଏ ପରୀକ୍ଷା ନୁହେଁ, ବରଂ ସମଗ୍ର ନିଯୁକ୍ତି ପ୍ରକ୍ରିୟାକୁ ଏକ ନିର୍ଦ୍ଦିଷ୍ଟ ସମୟସାରଣୀରେ ଶେଷ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ପ୍ରତିବର୍ଷ କେବେ ବିଜ୍ଞପ୍ତି ପ୍ରକାଶ ପାଇବ, କେବେ ପରୀକ୍ଷା ହେବ ଏବଂ କେବେ ଫଳାଫଳ ପ୍ରକାଶ ସହ ନିଯୁକ୍ତି ଦିଆଯିବ, ସେନେଇ ଏକ ନିର୍ଦ୍ଦିଷ୍ଟ କ୍ୟାଲେଣ୍ଡର ରହିବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି। ଏହି ବ୍ୟବସ୍ଥା ଲାଗୁ ହେଲେ ନିଯୁକ୍ତି ପରୀକ୍ଷାକୁ ନେଇ ଦୀର୍ଘଦିନ ଧରି ଅପେକ୍ଷା କରୁଥିବା ଯୁବପିଢ଼ିଙ୍କୁ ଆଶ୍ୱସ୍ତି ମିଳିପାରିବ। ଏଥିସହ ଖାଲି ପଦବୀ ପୂରଣ ପ୍ରକ୍ରିୟା ମଧ୍ୟ ଅଧିକ ଶୃଙ୍ଖଳିତ ହୋଇପାରିବ।
ଦୁଇ ବର୍ଷରେ ୫୨ ହଜାରରୁ ଅଧିକ ନିଯୁକ୍ତି
ଲୋକସେବା ଭବନରେ ପରୀକ୍ଷା ସଂସ୍କାର ସମ୍ପର୍କିତ ଉଚ୍ଚ କ୍ଷମତାସମ୍ପନ୍ନ ଟାସ୍କ ଫୋର୍ସର ପ୍ରତିନିଧିମାନଙ୍କ ସହ ଆଲୋଚନା ବେଳେ ରାଜ୍ୟର ନିଯୁକ୍ତି ସଂପର୍କିତ ତଥ୍ୟ ରଖିଥିଲେ ମୁଖ୍ୟମନ୍ତ୍ରୀ। ୨୦୨୪ରେ ସରକାର ଗଠନ ପରଠାରୁ ନିଯୁକ୍ତି ପରୀକ୍ଷାଗୁଡ଼ିକୁ ସ୍ୱଚ୍ଛତାର ସହ ଆୟୋଜନ କରାଯାଉଥିବା ସେ କହିଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ୫୨ ହଜାର ୫୧୪ ଜଣଙ୍କୁ ନିଯୁକ୍ତି ଦେଇଥିବା ସୂଚନା ଦେଇଥିଲେ। ସରକାରଙ୍କ ମତରେ, ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଦକ୍ଷତା ବଜାୟ ରଖିବା ସହ ଯୋଗ୍ୟ ପ୍ରାର୍ଥୀଙ୍କୁ ଠିକ୍ ସମୟରେ ସୁଯୋଗ ଦେବା ହେଉଛି ମୁଖ୍ୟ ଲକ୍ଷ୍ୟ।
ନିଯୁକ୍ତି ପ୍ରକ୍ରିୟାରେ ଆସିଛି ଏକାଧିକ ସଂସ୍କାର
ସରକାରୀ ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସୁଦୃଢ଼ ଓ ଶୃଙ୍ଖଳିତ କରିବା ଲାଗି ରାଜ୍ୟ ସରକାର ଏକାଧିକ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ପରୀକ୍ଷାରେ ଅନିୟମିତତା ଓ ଅସାଧୁ ଉପାୟ ରୋକିବା ସହ ସ୍ୱଚ୍ଛତା ବଜାୟ ରଖିବା ପାଇଁ ‘ଓଡ଼ିଶା ପବ୍ଲିକ୍ ଏକ୍ଜାମିନେସନ୍ସ ଆକ୍ଟ, ୨୦୨୪’ ଲାଗୁ କରାଯାଇଛି। ସେହିପରି ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମାକୁ ୪୨ ବର୍ଷକୁ ବୃଦ୍ଧି କରାଯାଇଥିବା ବେଳେ ଓଡ଼ିଶା ସିଭିଲ୍ ସର୍ଭିସ୍ (OCS) ପରୀକ୍ଷା ଦେବା ପାଇଁ ଥିବା ପ୍ରୟାସ ସଂଖ୍ୟାର ସୀମାକୁ ମଧ୍ୟ ଉଚ୍ଛେଦ କରାଯାଇଛି। ଏଥିସହ ୟୁନିଫର୍ମଡ୍ ସର୍ଭିସ୍ରେ ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ସ୍ୱତନ୍ତ୍ର ଷ୍ଟାଫ୍ ସିଲେକ୍ସନ୍ କମିଶନ ଗଠନ କରାଯାଇଛି। ଅନ୍ୟପଟେ ପ୍ରଶାସନିକ ନିୟମ ଓ ପ୍ରକ୍ରିୟାକୁ ଆହୁରି ସରଳ କରିବା ଉଦ୍ଦେଶ୍ୟରେ ସରକାର ‘କମିଟି ଅନ୍ ଆଡମିନିଷ୍ଟ୍ରେଟିଭ୍ ଆଣ୍ଡ ଗଭର୍ଣ୍ଣାନ୍ସ ରିଫର୍ମସ୍’ ଗଠନ କରିଛନ୍ତି।
ସ୍କୁଲ ବୋର୍ଡ ପରୀକ୍ଷାଠାରୁ ଆରମ୍ଭ କରି ଇଞ୍ଜିନିୟରିଂ, ମେଡିକାଲ୍ ପ୍ରବେଶିକା ଏବଂ ବିଭିନ୍ନ ସରକାରୀ ନିଯୁକ୍ତି ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ କେନ୍ଦ୍ର ସରକାର ଏକ ଉଚ୍ଚ କ୍ଷମତାସମ୍ପନ୍ନ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଏହି ଟାସ୍କ ଫୋର୍ସ ବିଭିନ୍ନ ରାଜ୍ୟ ଗସ୍ତ କରି ପରୀକ୍ଷା ବ୍ୟବସ୍ଥାରେ ଥିବା ସମସ୍ୟା, ସଂସ୍କାରର ଆବଶ୍ୟକତା ଏବଂ ନୂଆ ପଦକ୍ଷେପ ସମ୍ପର୍କରେ ମତାମତ ସଂଗ୍ରହ କରୁଛି। ଏହି କ୍ରମରେ ଟାସ୍କ ଫୋର୍ସର ପ୍ରତିନିଧିମାନେ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।
ଯୁବପିଢ଼ିଙ୍କ ଅପେକ୍ଷା, କେବେ ଲାଗୁ ହେବ ନୂଆ ବ୍ୟବସ୍ଥା?
ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବ ଏବେ ସରକାରୀ ଚାକିରି ଆଶାୟୀଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି କରିଛି। ତେବେ ଏକକ ପରୀକ୍ଷା ବ୍ୟବସ୍ଥା କେଉଁ କେଉଁ ବିଭାଗରେ ଲାଗୁ ହେବ, କେଉଁ ପଦବୀଗୁଡ଼ିକ ଏହାର ପରିସରଭୁକ୍ତ ହେବ ଏବଂ ବାର୍ଷିକ ନିଯୁକ୍ତି କ୍ୟାଲେଣ୍ଡର କେବେ ପ୍ରସ୍ତୁତ ହେବ, ତାହା ଏବେ ଗୁରୁତ୍ୱପୂର୍ଣ୍ଣ। ପ୍ରସ୍ତାବଟି କାର୍ଯ୍ୟକାରୀ ହେଲେ ଚାକିରି ଆଶାୟୀଙ୍କୁ ଏକାଧିକ ପରୀକ୍ଷା ଦେବାର ଚାପରୁ ଆଶ୍ୱସ୍ତି ମିଳିବା ସହ ରାଜ୍ୟର ନିଯୁକ୍ତି ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇପାରିବ।


