ଅଟୋମୋବାଇଲ୍ କ୍ଷେତ୍ର ବର୍ତ୍ତମାନ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛି ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ସଡକ ଚଳାଚଳ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଗଡକରୀ କହିଛନ୍ତି, ବର୍ତ୍ତମାନ ସମଗ୍ର ବିଶ୍ବ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଥିବାରୁ ଭାରତୀୟ ଅଟୋ ଶିଳ୍ପ ମଧ୍ୟ ଏହା ଦ୍ବାରା ପ୍ରଭାବିତ ହେଉଛି । ଭାରତ ସରକାର ସଦା ସର୍ବଦା ଅଟୋ ଶିଳ୍ପ ସହିତ ରହିଛନ୍ତି ଏବଂ ଖୁବ୍ ଶୀଘ୍ର ଏହି ଶିଳ୍ପର ଅବସ୍ଥା ସୁଧୁରିବା ନେଇ ଆଶା ପ୍ରକାଶ କରିଛନ୍ତି ଗଡକରୀ । ଏହା ସହିତ ନୂତନ ଟ୍ରାଫିକ୍ ନିୟମ ନେଇ ମଧ୍ୟ ଗଡକରୀ ସୂଚନା ଦେଇଛନ୍ତି । ଏହି ନିୟମକୁ ନେଇ ବର୍ତ୍ତମାନ ସମଗ୍ର ଦେଶରେ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି । ବିଭିନ୍ନ ମହଲରୁ ଏହାକୁ ଆଲୋଚନା ଓ ସମାଲୋଚନା ମଧ୍ୟ କରାଯାଉଛି । ଏହା ଉପରେ ଗଡକରୀ କହିଛନ୍ତି ସରକାର ଜରିମାନା ପ୍ରଦାନ ପାଇଁ କାହାକୁ ବାଧ୍ୟ କରୁନାହାନ୍ତି । ସମସ୍ତେ ନିୟମର ପାଳନ କଲେ ଆଦୌ ଜରିମାନା ପ୍ରଦାନ କରିବାକୁ ପଡିବ ନାହିଁ । କିଛି ଦିନ ପୂର୍ବରୁ ସରକାର ପେଟ୍ରୋଲ ଏବଂ ଡିଜେଲ ଗାଡି ବନ୍ଦ କରିବାର ଯୋଜନା ଖବରକୁ ଗଡକରୀ ଖଣ୍ଡନ କରିଛନ୍ତି । ସରକାର ବୈଦ୍ୟୁତିକ ଯାନର ବ୍ୟବହାରକୁ ପ୍ରାଧାନ୍ୟ ଦେଉଛନ୍ତି ମାତ୍ର ପେଟ୍ରୋଲ ଓ ଡିଜେଲ୍ ଗାଡ଼ି ଉପରେ କୌଣସି ପ୍ରତିବନ୍ଧକ ଲଗାଇବାର ଯୋଜନା ନାହିଁ ବୋଲି ଗଡକରୀ କହିଛନ୍ତି ।