ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ଙ୍କ ଦ୍ବିଶତକ ସହାୟତାରେ ଚତୁର୍ଥ ଆସେସ୍ ଟେଷ୍ଟରେ ଦୃଢ ସ୍ଥିତିରେ ପହଞ୍ଚିଛି ଅଷ୍ଟ୍ରେଲିଆ। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୯୭/୮ରେ ପାଳି ଘୋଷଣା କରିଥିବା ବେଳେ ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୨୩ ରନ୍ରେ ଗୋଟିଏ ଓ୍ବିକେଟ୍ ହରାଇଛି। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭେନ୍ ସ୍ମିଥ୍ (୨୧୧) ରନ୍ ସଂଗ୍ରହ କରିଥିବା ବେଳେ ଟିମ୍ ପେନ୍(୫୮), ମାର୍ନସ୍ ଲାବୁଶ୍ଚାଞ୍ଜେ(୬୭) ରନ୍ ଏବଂ ମିଚେଲ ଷ୍ଟାର୍କ(୫୪*) ସଂଗ୍ରହ କରିଥିଲେ। ଇଂଲଣ୍ଡ ପକ୍ଷରୁ ବ୍ରୋଡ୍ ୯୭ ରନ୍ରେ ୩ ଟି ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ଜ୍ୟାକ୍ ଲିଚ୍ ଏବଂ କ୍ରେଗ୍ ଓଭରଟନ୍ ୨ ଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ। ଜୋ ରୁଟ୍ ସ୍ମିଥ୍ଙ୍କ ଓ୍ବିକେଟ୍ ଅକ୍ତିଆର କରିଥିଲେ। ଗତକାଲିର ଖେଳ ୧୭୦/୪ ରୁ ଆରମ୍ଭ କରି ୧୮୩ ରନ୍ରେ ଟ୍ରାଭିସ୍ ହେଡ୍(୨୩)ଙ୍କୁ ହରାଇଥିଲା। ଏହା ପରେ ମାଥ୍ୟୁ ଓ୍ବାଡେ(୧୬) ଙ୍କ ସହିତ ସ୍ମିଥ୍ ୪୧ ରନ୍ ଯୋଡିଥିଲେ। ଏହାପରେ ଅଧିନାୟକ ତଥା ଓ୍ବିକେଟ୍ ରକ୍ଷକ ଟିମ୍ ପେନ୍(୫୮)ଙ୍କ ସହିତ ସ୍ମିଥ ୧୪୫ ରନ୍ର ଭାଗିଦାରୀ କରି ଦଳୀୟ ୩୬୯ ରେ ପହଞ୍ଚାଇଥିଲେ। ସ୍ମିଥ ୩୧୯ ଟି ବଲ୍ର ସମ୍ମୁଖମୀନ ହୋଇ ୨୪ ଚୌକା ଏବଂ ୨ ଛକ୍କା ସହାୟତାରେ ୨୧୧ ରନ୍ କରି ଦଳୀୟ ସ୍କୋର ୪୩୮ ରେ ପ୍ୟାଭିଲିୟନ୍ ଫେରିଥିଲେ। ଷ୍ଟାର୍କ ଏବଂ ଲିୟନଙ୍କ ମଧ୍ୟରେ ଅବିଭାଜିତ ୫୯ ରନ୍ର ଭାଗିଦାରୀ ହୋଇଥିବା ବେଳେ ପେନ୍ ଇନିଂସ ଘୋଷଣା କରିଥିଲେ। ପାଳି ଘୋଷଣା ପରେ ଇଂଲଣ୍ଡ ମାତ୍ର ୧୦ ରନ୍ରେ ଓପ୍ନର ଜୋ ଡେନ୍ଲିଙ୍କ ଓ୍ବିକେଟ୍ ହରାଇଥିଲା। ଖେଳ ଶେଷ ବେଳକୁ ନାଇଟ୍ ଓ୍ବାଚ୍ମ୍ୟାନ୍ କ୍ରେଗ ଓଭରଟନ୍(୩) ଏବଂ ରୋରି ବର୍ଣ୍ଣସ୍(୧୫) ଅପରାଜିତ ରହିଛନ୍ତି।