ପ୍ରତ୍ୟେକ ଟୋଲ୍ ଗେଟ୍ରେ ଏଣିକି ମଦ୍ୟପଙ୍କ ଯାଞ୍ଚ କରାଯିବ । ପୋଲିସ୍ ଡିଜି ଏନେଇ ଏକ ସର୍କୁଲାର ଜାରି କରିଛନ୍ତି । ପୋଲିସ୍ ଡିଜିଙ୍କ ନିଷ୍ପତ୍ତି ଅନୁଯାୟୀ ମଦ ପିଇ ଗାଡି ଚାଳନା କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯିବ । ଆଜି ସନ୍ଧ୍ୟାରୁ ରାଜ୍ୟର ସମସ୍ତ ଟୋଲ୍ଗେଟ୍ରେ ଏହି ଯାଞ୍ଚ କରାଯିବ ବୋଲି ଜଣାପଡିଛି । ରାଜ୍ୟରେ ସମୁଦାୟ 14ଟି ଟୋଲ୍ଗେଟ୍ ରହିଥିବା ବେଳେ ସମସ୍ତ ଟୋଲ୍ ଗେଟ୍ରେ ଏହି ନିୟମ କଡାକଡି ଭାବରେ ପାଳନ କରିବା ପାଇଁ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ସଡକ ସୁରକ୍ଷା କମିଟି ଏହି ନିଷ୍ପତ୍ତି ନେଇଥିବା ବେଳେ ଏହି ନିୟମକୁ କଡାକଡି ଭାବରେ ଲାଗୁ କରିବା ପାଇଁ ଡିଜି ସମସ୍ତ ଟୋଲଗେଟକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଏହି ଯାଞ୍ଚ ସମୟରେ ବ୍ରେଥ୍ ଆନାଲାଇଜର୍ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।