ଦ୍ବିତୀୟଥର ପାଇଁ କ୍ଷମତାକୁ ଆସିବା ପରେ ମୋଦି ସରକାର ଅନେକ ନୂଆ ବିଲ୍ ଆଣିଛନ୍ତି । ଏହି ବିଲ୍ ମଧ୍ୟରେ ଆତଙ୍କୀ ନିରୋଧ ଆଇନ୍ ବେଶ୍ ଚର୍ଚ୍ଚାରେ ରହିଛି । ଚଳିତ ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ୟୁଏପିଏ ଆଇନ୍ ବଳରେ କେନ୍ଦ୍ର ସରକାର ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଘୋଷଣା କରିବାର ଅଧିକାର ପାଇଛନ୍ତି । ମୋଦି ସରକାର ନୂଆ କରି ସଂସଦରେ ପାରିତ କରାଇଥିବା ଆତଙ୍କୀ ନିରୋଧ ଆଇନ୍ (ୟୁଏପିଏ)ର ଆଜି ସମୀକ୍ଷା କରିବେ ସୁପ୍ରିମ୍କୋର୍ଟ । ଏଥିପାଇଁ ସୁପ୍ରିମକୋର୍ଟ ସହମତି ପ୍ରକାଶ କରିଛନ୍ତି। ୧୯୬୭ ୟୁଏପିଏ ଅଧିନିୟମର ସଂଶୋଧିତ ଧାରା ୩୫ ଅନୁଯାୟୀ କେନ୍ଦ୍ର ସରକାର ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଘୋଷଣା କରିବାର ଅଧିକାର ପାଇଛନ୍ତି। ତେବେ ଏହାର ସାମ୍ବିଧାନିକ ବୈଧତା ଉପରେ ପ୍ରଶ୍ନ କରି ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ହୋଇଥିଲା। ଆଜି ସୁପ୍ରିମକୋର୍ଟ ଏହି ନୂଆ ଆଇନ୍ର ସମ୍ବିଧାନିକ ବୈଧତା ସମ୍ପର୍କରେ ସମୀକ୍ଷା କରିବାକୁ ରାଜି ହୋଇଛନ୍ତି। ଏଥିସହ ଏ ସମ୍ପର୍କରେ ନିଜର ପକ୍ଷ ରଖିବାକୁ କେନ୍ଦ୍ର ସରକାରଙ୍କୁ ନୋଟିସ ମଧ୍ୟ କରିଛନ୍ତି। ଯାଚିକା କର୍ତ୍ତା ନିଜ ଆବେଦନରେ କେନ୍ଦ୍ରର ସରକାରଙ୍କ ଦ୍ବାରା ପାରିତ ହୋଇଥିବା ଏହି ୟୁଏପିଏ୍ ଆଇନ୍କୁ ଅସାମ୍ବିଧାନିକ ବୋଲି କହିବା ସହିତ ଏହା ମୌଳିକ ଅଧିକାର ବିରୋଧୀ । ଏହି ଆଇନ୍ ଯୋଗୁଁ ଜଣେ ବ୍ୟକ୍ତିବିଶେଷ ତାଙ୍କର ସମସ୍ତ ଅଧିକାରରୁ କ୍ଷୁର୍ଣ୍ଣ ହେବାର ଆଶଙ୍କା ରହିଛି । ଏବଂ ଯଦି କୌଣସି ବ୍ୟକ୍ତିବିଶେଷଙ୍କୁ ଆତଙ୍କୀ ଘୋଷଣା କରାଯାଉଛି, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିଜ ପକ୍ଷ ରଖିବାକୁ ଏହି ନୂଆ ଆଇନ୍ରେ କୌଣସି ବ୍ୟବସ୍ଥା ନାହିଁ ବୋଲଇ ଦର୍ଶାଇଛନ୍ତି ଯାଚିକାକର୍ତ୍ତା । ତେବେ ଏ ସମସ୍ତ ବିଷୟକୁ ନେଇ ଆଜି ସୁପ୍ରିମ୍କୋର୍ଟ ଏହି ବିଲ୍କୁ ସମୀକ୍ଷା କରିବେ । ଗତମାସରେ ସଂସଦର ଉଭୟ ଗୃହରେ ୟୁଏପିଏ ବିଲ ପାରିତ ହୋଇଥିଲା। ଏହି ବିଲ୍ ଆଇନ୍ରେ ପରିଣତ ହେବା ପରେ କେନ୍ଦ୍ର ସରକାର ପ୍ରଥମଥର ପାଇଁ ମୁମ୍ବାଇ ହମ୍ଲାର ମାଷ୍ଟରମାଇଣ୍ଡ ହାଫିଜ ସୟିଦ, ୧୯୯୩ ମୁମ୍ବାଇ ବିସ୍ଫୋରଣର ମୁଖ୍ୟ ଦାଉଦ ଇବ୍ରାହିମ, ୨୦୦୧ ସଂସଦ ଆକ୍ରମଣ ତଥା ୨୦୧୯ ପୁଲୱାମା ହମ୍ଲାର ମାଷ୍ଟରମାଇଣ୍ଡ ମାସୁଦ ଆଝାର ଓ ଲସ୍କର କମାଣ୍ଡର ଜାକି ଉର ରେହମାନ ଲଖଭୀକୁ ଆତଙ୍କବାଦୀ ଘୋଷଣା କରିଛନ୍ତି।