କଟକ ରେଭେନ୍ସା କଲେଜ ଛାତ୍ରୀ ଦୁର୍ଘଟଣା ମାମଲାରେ ୨ଜଣ ପୋଲିସ କର୍ମୀଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ହୋଇଥିବା ପୋଲିସ୍ କର୍ମଚାରୀ ଦ୍ବୟ ହେଲେ ହାବିଲଦାର୍ ସୂର୍ଯ୍ୟନାରାୟଣ ସାହୁ, କନେଷ୍ଟବଳ ଜଗବନ୍ଧୁ ଓ୍ବାଡେକା । ଗତକାଲି ରେଭେନ୍ସା କଲେଜ ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଏକ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ପ୍ରାଣହାନୀ ହୋଇଥିଲା । ଟ୍ରକଟି ଦ୍ରୁତ ଗତିରେ ଆସି ସ୍କୁଟିକୁ ଧକ୍କା ଦେଇଥିଲା । ଯାହାକୁ ନେଇ ରେଭେନ୍ସା ଛାତ୍ରଛାତ୍ରୀମାନେ ରାସ୍ତା ରୋକ କରିବା ସହ କିପରି ଭାବେ ସହର ମଧ୍ୟରେ ଭାରିଯାନ ଚଳାଚଳକୁ ନେଇ ପ୍ରଶ୍ନ କରିଥିଲେ । ଗୋଟିଏ ପଟେ ଟ୍ରାଫିକ ନିୟମ କଡାକଡି ପାଳନ କରାଯାଉଥିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି । ଏପରି ସ୍ଥଳେ ଟ୍ରକକୁ କିପରି କମିଶନରେଟ ପୋଲିସ ସହର ମଧ୍ୟକୁ ଛାଡିଲା ତାକୁ ନେଇ ପ୍ରଶ୍ନ ଉଠିଥିଲା । ଏହି ଘଟଣାପରେ ଆଜି ପୋଲିସ କମିଶନର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସେ କର୍ତ୍ତବ୍ୟରେ ଅବହେଳା କରିଥିବା ଜଣେ ହାବିଲଦାର ଓ ଜଣେ କନେଷ୍ଟବଳଙ୍କୁ ସସପେଣ୍ଡ କରିଛନ୍ତି । ଏପରିକି ଆଉଜଣେ ହୋମ ଗାର୍ଡଙ୍କୁ ମଧ୍ୟ ନୋଟିସ ହୋଇଛି ।