ସେପ୍ଟେମ୍ବର ୧ ତାରିଖରୁ ଦେଶରେ ନୂଆ ନୂତନ ମୋଟର ଯାନ ସଂଶୋଧିତ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଏନେଇ ବେଶ୍ କଡ଼ାକଡ଼ି ନିୟମ ପାଳନ କରାଯାଉଛି । ନୂତନ ନିୟମ ଅନୁସାରେ ଧରପଗଡ଼ ଜୋରଦାର୍ ଚାଲିଥିବାବେଳେ ୧୦ ଗୁଣା ଜରିମାନା ଆଦାୟ ସାଧାରଣ ପକେଟକୁ ଭାରି ବାଧୁଛି । ଏହାକୁ ନେଇ ସାଧାରଣରେ ଏକ ଭୟ ବାତାବରଣ ଦେଖାଦେଇଛି । ତେବେ ନୂଆ ସଡକ ସୁରକ୍ଷା ଆଇନ୍ ନେଇ ପରିବହନ ସଚିବ ଜି. ଶ୍ରୀନିବାସ ସୂଚନା ଦେଇ କହିଛନ୍ତି ଯେ ଏନେଇ କେହି ଭୟଭୀତ ହେବା ଦରକାର ନାହିଁ । ଯେଉଁମାନେ କାଗଜପତ୍ର କରିନାହାନ୍ତି, ସେମାନେ କରିନିଅନ୍ତୁ । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ସେଣ୍ଟ୍ରାଲ୍ ଆକ୍ଟରେ ଆଇନ୍ ହେଉଛି । ସବୁ ରାଜ୍ୟ ଏହି ସେଣ୍ଟ୍ରାଲ୍ ଆକ୍ଟକୁ ଲାଗୁ କରୁଛନ୍ତି । କର୍ମଚାରୀ ନିୟମ ବାହାରେ କାମ କଲେ ଦଣ୍ଡିତ ହେବେ । ସେହିପରି ଲୋକମାନଙ୍କୁ ହଇରାଣ ନ କରିବାକୁ ଆର୍ଟିଓମାନଙ୍କୁ ସଚିବ ପରାମର୍ଶ ଦେଇଛନ୍ତି ।