କାଶ୍ମୀର ଉପତ୍ୟାକାରେ ସେନାବାହିନୀର ଉପସ୍ଥିତି ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଆସିବା ପରେ ଆଜି ଏହାର ଉତ୍ତର ରଖିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ । ଡୋଭାଲ କହିଛନ୍ତି, ଧାରା 370 ଉଚ୍ଛେଦ ପରଠାରୁ ସେନାବାହିନୀ ଜମ୍ମୁ କାଶ୍ମୀରରେ ଉପସ୍ଥିତ ରହିଛନ୍ତି । ବର୍ତ୍ତମାନ ଜମ୍ମୁ କାଶ୍ମୀର ଏବରି ଏକ ରାଜ୍ୟ ଯେଉଁଠି ରାଜ୍ୟ ପୋଲିସ୍ ସାଧାରଣ ଜନତାଙ୍କ ବ୍ୟବସ୍ଥା ବୁଝୁଥିବା ବେଳେ ସେନାବାହିନୀକୁ କେବଳ ଆତଙ୍କୀଙ୍କ ମୁକାବିଲା ପାଇଁ ନିୟୋଜିତ କରାଯାଇଛି । ଜମ୍ମୁ କାଶ୍ମୀରରେ ସମୁଦାୟ 199ଟି ପୋଲିସ୍ ଥାନା ରହିଥିବା ବେଳେ ମାତ୍ର 10ଟି ଥାନା ଉପରେ କଟକଣା ଜାରି କରାଯାଇଛି । 10ଟି ଥାନାକୁ ଛାଡି ବାକି ସମସ୍ତ ଅଞ୍ଚଳର ଟେଲିଫୋନ୍ ସେବା ଚାଲୁ କରିଦିଆଯାଇଛି । ଧାରା 370 ଉଚ୍ଛେଦ ପରଠାରୁ 200 ପାକିସ୍ତାନୀ ଆତଙ୍କୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ 230 ସ୍ଥାନୀୟ ଯୁବକଙ୍କୁ ଚିହ୍ନଟ କରାଯାଇଥିବା ନେଇ ଡୋଭାଲ୍ ସୂଚନା ଦେଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ଅଧିକାଂଶ ଗିରଫ ହୋଇଥିବା ବେଳେ ଅଳ୍ପ କିଛି ପଳାୟନ କରିଛନ୍ତି ।