ରାଜ୍ୟରେ ସଂଶୋଧିତ ନୂଆ ମୋଟର ଯାନ ଆଇନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବ ଅଟୋ ମହାସଂଘ । ପରିବହନ ସଚିବଙ୍କ ସହ ଅଟୋ ମହାସଂଘର ବୈଠକ ବିଫଳ ହୋଇଛି । ପ୍ରଥମେ ଭୁବନେଶ୍ୱର ବନ୍ଦ କରିବା ପରେ ଆବଶ୍ୟକ ପଡ଼ିଲେ ସାରା ଓଡ଼ିଶା ବନ୍ଦ ପାଳନ କରିବ ବୋଲି ଅଟୋ ମହାସଂଘ ଚେତାବନୀ ଦେଇଛି । ନୂତନ ମୋଟର ଯାନ ନିୟମ ଅନୁସାରେ କାଗଜପତ୍ର ଓ ଲାଇସେନ୍ସ ନଥିବାରୁ ସାଧାରଣ ଲୋକ ତଥା ଅଟୋ ଚାଳକ ମୋଟା ଅଙ୍କର ଫାଇନ ଗଣୁଛନ୍ତି । ଅଟୋ ଚଲାଇ ପେଟ ପୋଷୁଥିବା ଲୋକଙ୍କ ମଧ୍ୟ ଦେବାକୁ ପଡ଼ୁଛି ଜୋରିମାନା । ତେଣୁ ଏହାକୁ ବିରୋଧ କରି ଆଜି ଅଟୋ ଓ ଟ୍ୟାକ୍ସି ମହାସଂଘ ପରିବହନ ସଚିବଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଆଲୋଚନା ଫଳପ୍ରଦ ହୋଇନାହିଁ । କେନ୍ଦ୍ର ଲଗାଇଥିବା ନୂଆ ଟ୍ରାଫିକ ଆଇନକୁ ବିରୋଧ କରୁଛୁ ବୋଲି ଏହାର ସଭାପତି ସୂଚନା ଦେଇଛନ୍ତି । ଏଥିରେ ସଚିବଙ୍କର କିଛି କ୍ଷମତା ନାହିଁ । ଆଲୋଚନାରେ ନିରାଶ ହୋଇଛି ଅଟୋ ମହାସଂଘ । ତେଣୁ ଏହି ଆଇନ ସଂଶୋଧନ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ । ଅଟୋ ମହାସଂଘ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ସଂଘ । ଅଟୋ ମହାସଂଘ ଆସନ୍ତା ସୋମବାର ଭୁବନେଶ୍ୱର ବନ୍ଦ ଡାକରା ଦେଇଛି । ଏହା ସହ ଆବଶ୍ୟକ ହେଲେ ଓଡ଼ିଶା ବନ୍ଦ କରିବ ବୋଲି ଅଟୋ ମହାସଂଘ ସରକାରଙ୍କୁ ଚେତାବନୀ ଦେଇଛି । ରାଜଧାନୀ ଭୁବନେଶ୍ୱରରେ ଜଣେ ଅଟୋ ଚଳାକଙ୍କୁ ଟ୍ରାଫିକ ଉଲଂଘନର ୮ଟି କାରଣ ଦର୍ଶାଇ ୪୭,୫୦୦ଟଙ୍କା ଫାଇନ ଲଗାଇଥିଲେ ଟ୍ରାଫିକ ପୋଲିସ । ଆଜି ମଧ୍ୟ ଭଦ୍ରକରେ ଜଣେ ଅଟୋ ଚାଳକଙ୍କୁ ୨୭ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିଛି ।