ଭାରତର ଚନ୍ଦ୍ରଯାନ ମିଶନର ଅନ୍ତିମ ଚରଣ ବିଫଳ ହୋଇଥିଲେ ମଧ୍ୟ ଆସନ୍ତା 14 ଦିନ ପର୍ଯ୍ୟନ୍ତ ଲ୍ୟାଣ୍ଡର ସହିତ ସମ୍ପର୍କ ସ୍ଥାପନର ଚେଷ୍ଟା କରାଯିବ ବୋଲି ଜଣାପଡିଛି । ଇସ୍ରୋର ଚେୟାରମ୍ୟାନ୍ କେ ଶିବନ୍ ଶନିବାର ଦୂରଦର୍ଶନକୁ ଦେଇଥିବା ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି । ଏହି ସାକ୍ଷାତ କାର ସମୟରେ ଶିବନ କହିଥିଲେ କି, ଲ୍ୟାଣ୍ଡରର ପ୍ରୋଗ୍ରାମିଂ ଅତ୍ୟନ୍ତ ଜଟିଳ ରହିଥିଲା । ଏହାର ଅନ୍ତିମ 15 ମିନିଟ୍କୁ ନେଇ ସମସ୍ତେ ଚିନ୍ତାରେ ରହିଥିବା ବେଳେ ଚନ୍ଦ୍ରପୃଷ୍ଠରେ ଅବତରଣର ମାତ୍ର 2.1 କିମି ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସହିତ ସମ୍ପର୍କ ବିଛିନ୍ନ ହୋଇଥିଲା । ଲ୍ୟାଣ୍ଡର ଏବଂ ରୋଭରର ଆୟୁସ 14 ଦିନ ଥିବାରୁ ଆସନ୍ତା 14 ଦିନ ପାଇଁ ଲ୍ୟାଣ୍ଡର ସହିତ ସମ୍ପର୍କ ସ୍ଥାପନ କରିବାର ଚେଷ୍ଟା କରାଯିବ । ସେହିପରି ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀ ବୈଜ୍ଞାନିକଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ ଶିବନ । ମିଶନର ବିଫଳତା ପରେ ମୋଦି ଯେଉଁଭଳି ଭାବରେ ସମସ୍ତଙ୍କୁ ଉତ୍ସାହିତ କଲେ ଏହା ସମସ୍ତଙ୍କୁ ଏକ ନୂତନ ପ୍ରକଳ୍ପ ପାଇଁ ଉତ୍ସାହିତ କରୁଛି ବୋଲି କହିଥିଲେ ଶିବନ ।