ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ପରଲୋକ ହୋଇଯାଇଛି । ତାଙ୍କର 56 ବର୍ଷ ବୟସରେ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ପ୍ରାଣ ହରାଇଛନ୍ତି । ଦିଲ୍ଲୀପ ଶତପଥୀ ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ । ଗତକାଲି ସନ୍ଧ୍ୟାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ପରଲୋକ ହୋଇଛି । ବହୁ ବିଶିଷ୍ଠ ବ୍ୟକ୍ତି ଶ୍ରୀ ଶତପଥୀଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ କରିବା ସହତ ଶୋକବ୍ୟକ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ସମେତ ବହୁ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । 1963 ମସିହାରେ ଜନ୍ମ ଗ୍ରହଣ କରିଥିବା ଦିଲ୍ଲୀପ ଓଡ଼ିଆ ସାମ୍ବାଦିକତା ଜଗତରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିଲେ । ସେ ଏକ ଦୈନିକ ଖବର କାଗଜରୁ ନିଜର ସାମ୍ବାଦିକ ଜୀବନ ଆରମ୍ଭ କରିଥିଲେ । ଏହା ପରେ ବିଜନେସ୍ ଷ୍ଟାଣ୍ଡାର୍ଡର ରେସିଡେନସିଆଲ ଏଡିଟର ଭାବେ ସେ ପ୍ରାୟ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେବ କାର୍ଯ୍ୟ କରୁଥିଲେ ।