ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂହ ସୋମବାର ଦିନ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ଉତ୍ତର ପ୍ରଦେଶର ବିଜେପି ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ତାଙ୍କୁ ପାର୍ଟିର ସଦସ୍ୟତା ପତ୍ର ଦେଇଛନ୍ତି । ଏହି ସମୟରେ ବିଜେପି କାର୍ଯ୍ୟାଳୟରେ ବହୁ ସଂଖ୍ୟାରେ କଲ୍ୟାଣ ସିଂହଙ୍କ ସମର୍ଥକ ଉପସ୍ଥିତ ଥିଲେ । ରାଜ୍ୟପାଳ ପଦରୁ ସେବାନିବୃତ ହେବା ପରେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି । ୮୭ ବର୍ଷ ବୟସରେ ପୁଣି ଥରେ ସକ୍ରିୟ ରାଜନୀତିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି କଲ୍ୟାଣ ସିଂହ । ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପରେ କହିଛନ୍ତି ଯେ, ‘ମୁଁ ରାଜ୍ୟପାଳ ଥିବା ସମୟରେ କିଛି କହୁନଥିଲି, କିନ୍ତୁ ପ୍ରତ୍ୟେକ ଦିନ ଦେଢ ଘଣ୍ଟା ୟୁପି ସମ୍ବନ୍ଧରେ ଖବର ସଂଗ୍ରହ କରୁଥିଲି ।’ ଲକ୍ଷ୍ନୌଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ସେ ପୁଣିଥରେ ସରକାରଙ୍କୁ ସହଯୋଗ କରିବେ । ସେହିପରି ୟୁପିରେ ଆଦିତ୍ୟନାଥଙ୍କର ବିକଳ୍ପ ନାହାନ୍ତି । ସେ ଆଗାମୀ ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିବା ସହିତ ବିଜେପିକୁ ମଜବୁତ୍ କରିବା ଦିଗରେ କାମ କରିବେ ବୋଲି କହିଛନ୍ତି । କଲ୍ୟାଣ ସିଂହ ଉତ୍ତରପ୍ରଦେଶର ଦୁଇ ଦୁଇଥର ମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇ ସାରିଛନ୍ତି ।