ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ଶନିବାର ଠାରୁ ସେବା ସପ୍ତାହ ଭାବେ ପାଳନ କରୁଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ପୂର୍ବାହ୍ଣରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ଯାଇ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ଏଠାରେ ଅମିତ ଶାହା ରୋଗୀଙ୍କ ସାକ୍ଷାତ କରି ଫଳ ବାଣ୍ଟିବା ସହିତ ସଫାଇ ମଧ୍ୟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ବିଜୟ ଗୋଏଲ୍, ଦିଲ୍ଲୀ ବିଧାୟକ ବିଜେନ୍ଦ୍ର ଗୁପ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ । ସେପ୍ଟେମ୍ବର ୧୭ ତାରିଖରେ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ସେପ୍ଟେମ୍ବର ୧୪ରୁ ୨୦ ଯାଏଁ ସେବା ସପ୍ତାହ ପାଳନ କରୁଛି । ଏହି ଅବସରରେ ସ୍ୱଚ୍ଛତା ହିଁ ସେବା, ସିଙ୍ଗଲ ୟୁଜ ପ୍ଲାଷ୍ଟିକରୁ ମୁକ୍ତି, ଜଳ ସଂରକ୍ଷଣ ଓ ସମ୍ବର୍ଦ୍ଧନ ସଂକଳ୍ପ ଲୋକଙ୍କ ନିକଟକୁ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି ବୋଲି ବିଜେପି କହିଛି ।