‘ଗଲି ବୟ’କୁ ଭାରତ ପକ୍ଷରୁ ୯୨ତମ ଓସ୍କାର ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଓସ୍କାରରେ ସର୍ବଶ୍ରେଷ୍ଠ ଇଣ୍ଟରନ୍ୟାସନାଲ ଫିଚର ଫିଲ୍ମ ବର୍ଗରେ ଏହି ଫିଲ୍ମକୁ ଭାରତ ପକ୍ଷରୁ ଚୟନ କରାଯାଇଛି। ଜୋୟା ଅଖତରଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଫିଲ୍ମର ପ୍ରିମିୟର ବର୍ଲିନ ଫିଲ୍ମ ଫେଷ୍ଟିଭାଲରେ ହୋଇଥିଲା ଏବଂ ଏହାକୁ ମେଲବର୍ଣ୍ଣର ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ସର୍ବଶ୍ରେଷ୍ଠ ଫିଲ୍ମର ଆଓ୍ଵାର୍ଡ ମିଳିଥିଲା। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ(ଏଫଏଫଆଇ) ଶନିବାର ଏହାର ଘୋଷଣା କରିଛି। ଫିଲ୍ମଟି ଚଳିତ ବର୍ଷ ଫେବୃଆରୀରେ ରିଲିଜ୍ ହୋଇଥିଲା। ଏଥିରେ ରଣବୀର ଓ ଆଲିୟାଙ୍କ ବ୍ୟତୀତ ବିଜୟରାଜ, କଲ୍କି କୋଚଲିନ, ସିଦ୍ଧାନ୍ତ ଚର୍ତୁବେଦୀ, ବିଜୟ ବର୍ମା ଓ ଅମୃତା ସୁଭାଷଙ୍କ ଅଭିନୟକୁ ଲୋକେ ଖୁବ୍ ପ୍ରଶଂସା କରିଥିଲେ। ଚଳିତ ବର୍ଷ ପ୍ରାୟ ୨୭ ଫିଲ୍ମ ଏହି ଦୌଡ଼ରେ ଥିଲା, ମାତ୍ର ସର୍ବସମ୍ମତି କ୍ରମେ ‘ଗଲି ବୟ’କୁ ଚୟନ କରାଯାଇଛି । ଏହି ଦୌଡ଼ରେ ଦ ସର୍ଜିକାଲ ଷ୍ଟ୍ରାଇକ, କେଶରୀ, ବଧାଇ ହୋ, ଆର୍ଟିକିଲ ୧୫ ଓ ଅନ୍ଧାଧୁନ ପରି ଫିଲ୍ମ ଉପରେ ବିଚାର କରାଯାଉଥିଲା। ଶେଷରେ ସର୍ବସମ୍ମତି କ୍ରମେ ଗଲି ବୟକୁ ଚୟନ କରାଯାଇଛି। ଏହି ଫିଲ୍ମରେ ଜଣେ ସଂର୍ଘଷରତ ରାପର୍ର କାହାଣୀକୁ ଦର୍ଶାଯାଇଥିଲା ।