ଓଡ଼ିଶାରେ ପୁଣି ପୁଞ୍ଜି ନିବେଶ କରିବାକୁ ମନ ବଳାଇଛି ଦକ୍ଷିଣ କୋରିଆ । ଆଜି ଏନେଇ ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ସିନ୍ ବଙ୍ଗ କିଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି । ଆଜି ଓଡ଼ିଶା ଆସି ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ସିନ୍ ବଙ୍ଗ କିଲଙ୍କ ସହ ୪୬ଜଣିଆ ବ୍ୟବସାୟିକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ପୋସ୍କୋ ଓଡ଼ିଶାରୁ ମୁହଁ ଫେରାଇବା ପରେ ପୁଣି ନିବେଶ ଆଶା ରହିଛି। ପୋସ୍କୋ ନେଇ ତିକ୍ତ ଅନୁଭୂତି ଓ ଏଥିରୁ ଶିକ୍ଷା ପାଇଛନ୍ତି ବୋଲି ରାଷ୍ଟ୍ରଦୂତ କହିଛନ୍ତି । ପୋସ୍କୋ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ଶେଷରେ ଓହରିଯାଇଥିଲା । ପୋସ୍କୋ ଘଟଣାରୁ ଉଭୟ ପକ୍ଷ ଶିକ୍ଷାଲାଭ କରିଥିବା ଆଶା କରାଯାଇଛି । ପୋସ୍କୋ ଶିକ୍ଷା ପରେ ଏବେ ନୂଆ କରି ଆରମ୍ଭ କରି ଆଗେଇବା ବୋଲି ରାଷ୍ଟ୍ରଦୂତ କହିଛନ୍ତି । ଦକ୍ଷିଣ କୋରିଆର ପୁଞ୍ଜି ନିବେଶ ନେଇ ସବୁ ସହଯୋଗ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬ଟି କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଆଲୋଚନା କରାଯାଇଛି । ଇଲେକ୍ଟ୍ରୋନିକ୍ସ, ପେଟ୍ରୋଲିୟମ୍ ଏଣ୍ଡ ପେଟ୍ରୋକେମିକାଲ, ବୟନଶିଳ୍ପ, ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ ଓ ଶିଳ୍ପ ଫୋକ୍ସ ସେକ୍ଟର ଆଦି କ୍ଷେତ୍ରରେ ପୁଞ୍ଜିନିବେଶ କରାଯିବ । ନିବେଶେକଙ୍କୁ ରାଜ୍ୟ ସବୁ ପ୍ରକାରର ସହଯୋଗ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିଳ୍ପ ଅନୁକୂଳ ପରିବେଶ, ଭିତ୍ତିଭୂମି, ଦକ୍ଷ ମାନବ ଶକ୍ତି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଆଲୋଚନା ବେଳେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଶିଳ୍ପ ସଚିବ ମଧ୍ୟ ଉପସ୍ଥିତ ଥିଲେ ।