ଉଚ୍ଚ ଶିକ୍ଷା ବିଭାଗର କର୍ମଚାରୀଙ୍କ ପାଇଁ ସରକାର ନିୟମକୁ କଡ଼ାକଡ଼ି କରିଛନ୍ତି । କର୍ମଚାରୀଙ୍କୁ ସମୟାନୁବର୍ତ୍ତିତା କରିବାକୁ ସରକାର ବାୟୋମେଟ୍ରିକ୍କୁ ବାଧ୍ୟତାମୂଳକ କରିଛନ୍ତି । ଯଦି କୌଣସି କର୍ମଚାରୀ ବାୟୋମେଟ୍ରିକ୍ରେ ଆଙ୍ଗୁଳି ଚିହ୍ନ ବା ପଞ୍ଚ ଇନ୍ ଓ ପଞ୍ଚ ଆଉଟ୍ ନ କରନ୍ତି ତାହା ହେଲେ ତାଙ୍କର ସେଦିନ ଛୁଟି ବୋଲି ବିବେଚନା କରାଯିବ । ଏ ନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଉଚ୍ଚ ଶିକ୍ଷା ବିଭାଗର କର୍ମଚାରୀଙ୍କ ପାଇଁ ଦିନକୁ ସାଢ଼େ ୭ ଘଣ୍ଟା ଡ୍ୟୁଟି ସମୟ ବାଧ୍ୟତାମୂଳକ କରାଯାଇଛି । ୧୦ଟାରୁ ୬ଟା ପର୍ଯ୍ୟନ୍ତ ଅଫିସ ସମୟ ରଖାଯାଇଥିବାବେଳେ ଆସିବା ସମୟ ୩୦ ମିନିଟ କୋହଳ କରାଯାଇଛି । ସେହିପରି ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଆସିଲେ ବିଳମ୍ବ ଉପସ୍ଥାନ ହେବ । ଗୋଟିଏ ମାସର ୩ଟି ବିଳମ୍ବ ଉପସ୍ଥାନ ହେଲେ ତାହା ଗୋଟିଏ ଦିନ ଛୁଟିରେ ଗଣାଯିବ । ସେହିପରି ଯଦି କୌଣସି କର୍ମଚାରୀ ୪ ଘଣ୍ଟାରୁ କମ୍ ସମୟ ଅଫିସ୍ରେ ରହୁନ୍ତି ତାହା ହେଲେ ସେହିଦିନ ଛୁଟି ପଡ଼ିବ ।