କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛନ୍ତି । ଦୁଷ୍କର୍ମ ଘଟଣାରେ ୪ ଜଣ ଓ ଭିଡ଼ିଓ ଭାଇରାଲ ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସ୍ପି । ସୂଚନା ଅନୁସାରେ, ଗତ ୧୪ ତାରିଖରେ ପୀଡ଼ିତା ଜଣକ ଭବାନୀପାଟଣାରୁ ନିଜ ଘରକୁ ଜଣଙ୍କ ସହ ଫେରୁଥିଲେ । ଏହି ସମୟରେ ଜାରିଙ୍ଗ ଜଙ୍ଗଲ ଭିତରେ ୫ରୁ ୬ ଜଣ ଯୁବକ ତାଙ୍କୁ ଛୁରି ଦେଖାଇ ଜଙ୍ଗଲ ଭିତରକୁ ନେଇଯାଇଥିଲେ । ଏହାପରେ ସେମାନେ ଗଣଦୁଷ୍କର୍ମ କରିଥିଲେ । ଏହା ପରେ ସେହି ସମୟର ଘଟଣାକୁ ମୋବାଇଲରେ ସୁଟିଂ କରି ଭିଡ଼ିଓ ଭାଇରାଲ କରିଛନ୍ତି । ଯୁବତୀଙ୍କୁ ଲିଫ୍ଟ ଦେଇଥିବା ଡ୍ରାଇଭର ମୁଖ୍ୟ ସାକ୍ଷୀ ରହିଛି । ଡ୍ରାଇଭରର ଏ ମାମଲାରେ କୌଣସି ସଂପୃକ୍ତି ନ ଥିବା ଏସ୍ପି ସ୍ପଷ୍ଟ କରିଛନ୍ତି । ଦୁଷ୍କର୍ମ ଘଟଣାରେ ୪ ଜଣ ଓ ଭିଡ଼ିଓ ଭାଇରାଲ ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ସାକ୍ଷୀର ବୟାନ ଆଧାରରେ ପୋଲିସ ତଦନ୍ତ ଆଗକୁ ବଢ଼ାଇଛି ।