ମଧ୍ୟପ୍ରଦେଶର ଝାବୁଆ ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପୂର୍ବ କେନ୍ଦ୍ର ମନ୍ତ୍ରୀ କାନ୍ତିଲାଲ୍ ଭୂରିଆଙ୍କୁ ପ୍ରାର୍ଥୀ ରୂପେ ଚୟନ କରିଛି । ଦଳର ରାଷ୍ଟ୍ରୀୟ ମହାସଚିବ ମୁକୁଲ ବାସାନିକ୍ ଭୂରିଆଙ୍କ ନାମ ଘୋଷଣା କରିଛନ୍ତି । ଝାବୁଆର ପୂର୍ବ ବିଧାୟକ ଗୁମାନ ସିଂହ ଡୋମାରଙ୍କୁ ସାଂସଦ ରୂପେ ନିର୍ବାଚିତ ହେବା ପରେ ଏହି ଆସନ ପାଇଁ ଆସନ୍ତା ଅକ୍ଟୋବର ୨୧ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ବିଜେପି ଝାବୁଆର ବିଧାୟକ ଡୋମାରଙ୍କୁ ରତଲାମ୍ – ଝାବୁଆ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କରିଥିବାବେଳେ ଡୋମାର ବିଜୟୀ ହୋଇଥିଲେ । ସାଂସଦ ରୂପେ ନିର୍ବାଚିତ ହେବା ପରେ ଡୋମାର ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ୨୦୧୮ ବିଧାନସଭା ନିର୍ବାଚନରେ ଝାବୁଆ ବିଧାନସଭା ଆସନରେ କାନ୍ତିଲାଲ ଭୁରିଆଙ୍କ ପୁତ୍ର ବିକ୍ରାନ୍ତ ଭୁରିଆଙ୍କୁ ହରାଇ ବିଧାୟକ ହୋଇଥିଲେ ଡୋମାର । ରାଜନୈତିକ ଦୃଷ୍ଟିକୋଣରୁ ଏହି ଆସନଟି କଂଗ୍ରେସ ପାଇଁ ବେଶ୍ ମହତ୍ତ୍ବପୂର୍ଣ୍ଣ । ୨୦୧୮ ବିଧାନସଭା ନିର୍ବାଚନରେ ମୋଟ ୨୩୦ ଆସନରୁ ଏଠାରେ କଂଗ୍ରେସ ୧୧୪ଟି ଆସନ ଜିତି ସରକାର ଗଢିଛି ।