ସମୀକ୍ଷା ବ୍ୟୁରୋ
ଓଡିଶାର ପ୍ରତିଷ୍ଠିତ ଠାକୁରାଣୀ ବାଣପୁର ମା ଭଗବତୀଙ୍କ ପୀଠରେ ଆରମ୍ଭ ହୋଇଯାଇଛି ପାର୍ବଣ ପୂଜା। ସାଧାରଣତଃ ମା ଭଗବତୀଙ୍କ ପୀଠରେ ମୁଳାଷ୍ଠମୀରୁ ଏହି ସ୍ବତନ୍ତ୍ର ପୂଜାବିଧୀ ଅନୁଷ୍ଠିତ ହୋଇଥାଏ। ସେଥିମଧ୍ୟରେ ମହାଳୟା ଦିନ ଏହି ପୀଠରେ ଦେଖିବାକୁ ମିଳେ ଏକ ଅନନ୍ୟ ପରଂପରା। ଯାହାକୁ କୁହାଯାଇ ଦୁଇ ଠାକୁରାଣୀ ଭଉଣୀଙ୍କ ମଧ୍ୟରେ ଭେଟ। ବଡ ଭଉଣୀ ବିରଜାଈ ଏବଂ ସାନ ଭଉଣୀ ଭଗବତୀଙ୍କ ମଧ୍ୟରେ ଭେଟ ହୋଇଥାଏ। ସେଥିପାଇଁ ସ୍ଥାନୀୟ ଜନସାଧାରଣ ଏହି ମହାଳୟା ଅମବାସ୍ୟାକୁ ଭେଟ ଅମବାସ୍ୟା ବୋଲି ମଧ୍ୟ କହିଥାନ୍ତି। ପାର୍ବଣ ଋତୁ ଆରମ୍ଭ ହୋଇଗଲେ ମା ବିରଜାଈଙ୍କୁ ମା ଭଗବତୀ ନିମନ୍ତ୍ରଣ କରି ବାଣପୁରକୁ ଆଣିଥାନ୍ତି। ଫଳରେ ମା ବିରଜାଈ ବାଣପୁରର ସାତବଖରା ଘରେ ରହିଥାନ୍ତି। ସଂଧ୍ୟ୍ୟା ହେଲେ ଉଭୟ ଠାକୁରାଣୀ ପୃଥକ ପୃଥକ ଶୋଭାଯାତ୍ରାରେ ଆସି ବାଣପୁର ବଜାରରେ ଏକାଠି ହୋଇଥାନ୍ତି। ଦୁଇ ଠାକୁରାଣୀ ଉଭଣୀଙ୍କ ଭେଟ ସମୟରେ ଘଣ୍ଟଘଣ୍ଟା କାହାଳୀ ସହିତ ହରିବୋଲ ହୁଳହୁଳିରେ ବାଣପୁର ବଜାର ପ୍ରକମ୍ପିତ ହୋଇ ଉଠେ। ସେଥିପାଇଁ ପ୍ରତି ବର୍ଷ ଏହି ଠାକୁରାଣୀ ଭଉଣୀଙ୍କ ଭେଟ ଦେଖିବା ପାଇଁ ପାଖ ଅଞ୍ଚଳର ବହୁ ଲୋକ ରୁଣ୍ଡ ହୋଇଥାନ୍ତି।