ପଞ୍ଜାବ ଏବଂ ମହାରାଷ୍ଟ୍ର ସମବାୟ ବ୍ୟାଙ୍କର ଆଉ ଜଣେ ଗ୍ରାହକଙ୍କ ମୃତ୍ୟୁ ହୋଇଛି । ପିଏମସିର ଆକାଉଣ୍ଟ ହୋଲ୍ଡର ମୁରଲୀଧର ଧରାଙ୍କ ଆଜି ହୃଦଘାତରେ ମୃତ୍ୟୁ ହୋଇଛି । ଏହା ପୂର୍ବରୁ ବ୍ୟାଙ୍କର ଅନ୍ୟ ଦୁଇ ଜଣ ଆକାଉଣ୍ଟ ହୋଲ୍ଡର ଗୁଲାଟି ଏବଂ ଫତ୍ତୋମଲ ପଞ୍ଜାବୀଙ୍କୁ ହୃଦଘାତରୁ ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ କହିବା ଅନୁସାରେ ପିଏମସି ବ୍ୟାଙ୍କର ଘୋଟାଲାର ଖୁଲାସା ପରଠାରୁ ସେ ଚାପରେ ରହିଥିଲେ । ମୃତକଙ୍କ ପୁତ୍ର ପ୍ରେମ ଧାରା କହିଛନ୍ତି ଯେ, ତାଙ୍କ ପିତା ଦୀର୍ଘ ଦିନ ଧରି ବେମାର ରହିଥିଲେ । ଡାକ୍ତର ତାଙ୍କୁ ବାଇପାସ୍ ସର୍ଜରୀ କରିବାକୁ କହିଥିଲେ । ଏଥିନିମେନ୍ତ ଅର୍ଥ ଦରକାର ଥିଲା ଓ ସମୟ ଭିତରେ ଅର୍ଥ ନ ମିଳିବାରୁ ବାଇପାସ୍ ସର୍ଜରୀ ହୋଇପାରିନଥିଲା । ଉଲ୍ଲେଖଯୋଗ୍ୟ ଯେ ପିଏମସି ବ୍ୟାଙ୍କରୁ ନଗଦ ଟଙ୍କା ବାହାର କରିବା ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇବା ପାଇଁ ଦାବି କରିଥିବା ପିଏମସି କର୍ମଚାରୀଙ୍କ ଯାଚିକା ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ମନା କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଥିବା ଖଣ୍ଡପୀଠ ଅନୁଚ୍ଛେଦ ୩୨(ରିଟ ଅଧିକାର କ୍ଷେତ୍ର) ଅନୁସାର ଏହି ଯାଚିକାର ଶୁଣାଣି କରିବାକୁ ଚାହିଁନାହାନ୍ତି । ଆବେଦନକାରୀ ଉଚିତ ରିହାତି ପାଇଁ ସମ୍ୱନ୍ଧିତ ମାମଲାକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇପାରିବେ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି ।