ସମୀକ୍ଷା ବ୍ୟୁରୋ
ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ବାଲୁଗାଁ, ଶାଖା ଦ୍ବାରା ଏହାର ଆୟମ୍ ଷ୍ଟୁଡେଣ୍ଟ ଫର୍ ଡେଭଲପମେଣ୍ଟ ଦ୍ବାରା ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆଧାରରେ ବାଲୁଗାଁ ଚିଲିକା କୂଳ ସ୍ଥିତ ତାଳପେଟି ଗ୍ରାମ ବସ୍ତି ଅଞ୍ଚଳରେ ମା’ କାଳିଯାଇ ସଂସ୍କାର କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଉକ୍ତ ସଂସ୍କାର କେନ୍ଦ୍ରର ବସ୍ତି ଅଞ୍ଚଳର ୫୦ଜଣ ଛୋଟ ପିଲାମାନେ ଯୋଗ ଦେଇଥିଲେ। ବାଲୁଗାଁ କଲେଜର ଯୁକ୍ତି ତିନି କ୍ୟାମ୍ପସର ସଭାପତି ଭବାନୀ ପ୍ରହରାଜ ଓ ସମ୍ପାଦକ ତରୁଣ ନାୟକ ଉଦ୍ୟମରେ ଉକ୍ତ ସଂସ୍କାର କେନ୍ଦ୍ର ଆରମ୍ଭ ହୋଇଥିବାବେଳେ ଏହାକୁ ଶାଳିଆ ପ୍ରେସ୍ କ୍ଲବ୍ର ଉଦୀୟମାନ ଯୁବ ସାମ୍ବାଦିକ ତଥା ବାଲୁଗାଁ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଦିବ୍ୟକାନ୍ତ ବେହେରା ଓ ଅନିଲ୍ କୁମାର ପାଇକରାୟ ଏହାକୁ ଉଦ୍ଘାଟନ କରିଥିଲେ।
ଅତିଥିମାନେ ଏହି ଅଞ୍ଚଳର ଛୋଟ ଛୋଟ ଶିଶୁମାନଙ୍କୁ ବିଭିନ୍ନ ସାମାଜିକ ବିଷୟ ଉପରେ ଜ୍ଞାନ ପ୍ରଦାନ କରିଥିବାବେଳେ ବାଲୁଗାଁ ଏବିଭିପି କାର୍ଯ୍ୟକର୍ତ୍ତାମାନେ ନିଶୁଳ୍କ ଶିକ୍ଷାଦାନ କରିବା ସହ ବିଭିନ୍ନ ଶ୍ଲୋକ ଶିଖାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବାଣପୁର-ବାଲୁଗାଁ ନଗର ସମ୍ପାଦକ ବିକାଶ ସେଠୀ, ସହ ସମ୍ପାଦକ ରାଜକିଶୋର ଦାସ, ମହୀସୀସ୍ ଲେଙ୍କା, ସନ୍ତୋଷ ପ୍ରଧାନ, ଜିଲ୍ଲା ଛାତ୍ରୀ ପ୍ରମୁଖ ସଙ୍ଗୀତା ସ୍ବାଇଁ, ଜିଲ୍ଲା କମିଟି ସଭ୍ୟ ରବୀନ୍ଦ୍ର ବାରିକ୍ ଆଦି ସହଯୋଗ କରିଥିଲେ। ଆଗାମୀ ରବିବାରଠାରୁ ବାଣପୁର, ଗମ୍ଭାରୀମୁଣ୍ଡା ଓ ନାଚୁଣୀ ଅଞ୍ଚଳରେ ମଧ୍ୟ ଉକ୍ତ ସଂସ୍କାର କେନ୍ଦ୍ର ଆରମ୍ଭ କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବସ୍ତି ଅଞ୍ଚଳରେ ତଥା ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଉପକରଣ ଯୋଗାଇଦିଆଯିବ ବୋଲି ଏବିଭିପି ଓଡ଼ିଶାର ରାଜ୍ୟ ଷ୍ଟୁଡେଣ୍ଟ ଫର୍ ଡେଭଲପମେଣ୍ଟର ଯୁଗ୍ମ ସଂଯୋଜକ ଶ୍ରୀ ସୀତାରାମ ଅଗ୍ରଓ୍ବାଲ ସୂଚନା ଦେଇଥିଲେ। ଏବିଭିପିର ଏପରି ନୂଆ ସେବା ପ୍ରୟାସକୁ ବାଣପୁର–ବାଲୁଗାଁ ଅଞ୍ଚଳବାସୀ ତଥା ବୁଦ୍ଧିଜୀବୀମାନେ ଭୂୟସୀ ପ୍ରଶଂସା କରିଛନ୍ତି।