ଦୁଇରୁ ଅଧିକ ସନ୍ତାନ ଥିବା ଆସାମୀ ନାଗରିକଙ୍କୁ ଆସାମ ସରକାରଙ୍କ ଅଧୀନରେ ଚାକିରି ମିଳିବ ନାହିଁ। ସୋମବାର ଆସାମ ସରକାରଙ୍କ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦେଶର ପ୍ରଥମ ରାଜ୍ୟ ଭାବରେ ଆସାମ ଏହି ଐତିହାସିକ ନିଷ୍ପତ୍ତି ନେଇଛି। ଆସନ୍ତା ୨୦୨୧ ମସିହାରୁ ଆସାମରେ ଏହି ନିଷ୍ପତ୍ତି ଲାଗୁ କରାଯିବା ନେଇ ସୋମବାର ବିଳମ୍ବିତ ରାତିରେ ଆସାମ କ୍ୟାବିନେଟ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଜାନୁୟାରୀ ୧ ତାରିଖରୁ ଏହି ନିଷ୍ପତ୍ତି ଲାଗୁ କରାଯିବ। ବର୍ତ୍ତମାନ ସରକାରୀ ଚାକିରିରେ ରହିଥିବା କର୍ମଚାରୀ ମଧ୍ୟ ଏହି ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ସହିତ ଜମି ଅଧିଗ୍ରହଣ ପାଇଁ ନୂତନ ନିୟମକୁ ମଞ୍ଜୁରୀ ମିଳିଛି। ଏହି ନୂତନ ନିୟମ ଅନୁଯାୀ ରାଜ୍ୟରେ ଭୂମିହୀନ ଲୋକଙ୍କୁ ଗୃହ ନିର୍ମାଣ ପାଇଁ ଅଧ ବିଘା ଜମି ପ୍ରଦାନ କରାଯିବ। ଏହି ଜମିକୁ ୧୫ ବର୍ଷ ପର୍ଯ୍ୟନ୍ତ ବିକ୍ରୟ କରାଯାଇ ପାରିବ ନାହିଁ ବୋଲି ଜଣାପଡିଛି। ଏହା ସହିତ ରାଜ୍ୟରେ ବସ୍ ଭଡାରେ ୨୫ ପ୍ରତିଶତ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲଙ୍କ ନେତୃତ୍ବରେ ଗଠିତ କମିଟି ଏହି ନିଷ୍ପତ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।