ସୁପରଷ୍ଟାର ପ୍ରଭାସଙ୍କର ଆଜି ୪୦ତମ ଜନ୍ମଦିବସ । ପ୍ରଭାସ୍ଙ୍କୁ ଲକ୍ ତଥା ବଡ଼ିକୁ ଦେଖିଲେ ତାଙ୍କ ବୟସର ଅନୁମାନ ଲଗାଇବା ବହୁତ କଷ୍ଟ । ବାହୁବଲୀ ରୂପେ ସାରା ଦୁନିଆରେ ନିଜର ଏକ ଅଲଗା ପରିଚୟ କରିଥିବା ପ୍ରଭାସ ୧୯୭୯ ମସିହାର ଅକ୍ଟୋବର ୨୩ରେ ଜନ୍ମଗ୍ରହଣ କରିଥିଲେ । ତେବେ ତାଙ୍କର ସୁପରଷ୍ଟାର ହେବା ପର୍ଯ୍ୟନ୍ତ କାହାଣୀ ବେଶ୍ ସଂଘର୍ଷଶୀଳ ରହିଥିଲା । ୨୦୦୨ରେ ତେଲୁଗୁ ଫିଲ୍ମ ‘ଈଶ୍ବର’ରେ ସେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ । ଏହି ଫିଲ୍ମକୁ ନେଇ ସେ ବହୁତ ଆଶାବାଦୀ ରହିଥିବାବେଳେ ଫିଲ୍ମଟି ମଧ୍ୟମଧରଣର ବ୍ୟବସାୟ କରିଥିଲା । ତେବେ ୨୦୦୩ ମସିହାରେ ରିଲିଜ୍ ହୋଇଥିବା ପ୍ରଭାସଙ୍କ ତୃତୀୟ ଫିଲ୍ମ ‘ବର୍ଶମ’ ରିଲିଜ ହୋଇଥିଲେ । ଏଥିରେ ତୃଷ୍ଣା ଗୋପି ଚନ୍ଦ ନଜର ଆସିଥିଲେ । ଫିଲ୍ମଟି ଭଲ ବ୍ୟବସାୟ କରିବା ସହିତ ପ୍ରଭାସ ଏହି ଫିଲ୍ମ ଜରିଆରେ ଷ୍ଟାରଡମ୍ ପାଇଥିଲେ। ଏହି ଫିଲ୍ମ ପାଇଁ ପ୍ରଭାସ ଶ୍ରେଷ୍ଠ ୟଙ୍ଗ୍ ପରଫର୍ମରର ଫିଲ୍ମ ପୁରଷ୍କାର ଜିତିଥିଲେ । ପରେ ପରେ ପ୍ରଭାସଙ୍କ ଅଭିନୀତ ‘ଅଡାବି ରାମୁଡୁ’ ଲୋକଙ୍କ ଆକୃଷ୍ଟ କରିପାରିନଥିବାବେଳେ ଏହି ଫିଲ୍ମକୁ ବହୁତ ନକାରାତ୍ମକ ସମୀକ୍ଷା ମିଳିଥିଲା। ୨୦୦୫ରେ ‘ଏସ୍.ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଛତ୍ରପତି’ରେ ପ୍ରଭାସଙ୍କ ଅଭିନୟ ତାଙ୍କୁ ରାତାରାତି ସୁପରଷ୍ଟାରର ଆଖ୍ୟା ଦେଇଥିଲା । ୧୦୦ ଦିନ ଏହି ଫିଲ୍ମଟି ୫୪ଟି ଥିଏଟରରେ ଚାଲିଥିଲା । ପରେ ପରେ ’ଯୋଗୀ’, ‘ମୁନ୍ନା’, ’ବିଲ୍ଲା,’ ଏକ ନିରଞ୍ଜନ, ଆଦି ବକ୍ସ ଅଫିସ୍ରେ ହିଟ୍ ରହିଥିଲା । ୨୦୧୧ରେ ପ୍ରଭାସଙ୍କ ଫିଲ୍ମ ’ଡାର୍ଲିଂ’କୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ପରେ ପରେ ’ମିଷ୍ଟର ପରଫେକ୍ଟ’ରେ ପ୍ରଭାସଙ୍କ କମେଡ଼ି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏହା ପରେ ସେ ତାଙ୍କ ପ୍ରଶଂସକମାନଙ୍କ ଆଗରେ ‘ମିଷ୍ଟର ପରଫେକ୍ଟ’ ନାମରେ ନାମିତ ହୋଇଗଲେ । ପରେ ପରେ ଜବଦରସ୍ତ ଆକ୍ସନ ଫିଲ୍ମ ’ରିବେଲ୍’ , ‘ମିର୍ଚ୍ଚ’ ଆଦି ଫିଲ୍ମ ବକ୍ସ ଅଫିସ୍ରେ ବ୍ୟବସାୟ କରିବା ସହିତ ପ୍ରଭାସଙ୍କ ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ । ୨୦୧୫ରେ ପ୍ରଭାସ ଦର୍ଶକଙ୍କ ସାମ୍ନାକୁ ‘ବାହୁବଲୀ’ର ରୂପରେ ଆସିଥିଲେ । ଫିଲ୍ମଟିରେ ପିତା ଓ ପୁତ୍ରର ଭୂମିକା ନିଭାଇ ଦର୍ଶକଙ୍କୁ ବିମୋହିତ କରିଥିଲେ । ବାହୁବଲୀ ପ୍ରଭାସଙ୍କ ପ୍ରଥମ ହିନ୍ଦୀ ଫିଲ୍ମ ‘ସାହୋ’ ଚଳିତ ବର୍ଷ ପରଦାକୁ ଆସିଛି । ଦର୍ଶକଙ୍କୁ ଫିଲ୍ମଟି ଟିକେ ନିରାଶ କରିଛି, କିନ୍ତୁ ପ୍ରଭାସଙ୍କ ଷ୍ଟାରଡମ୍କୁ ନୁହେଁ। ଆଜି ବି ପ୍ରଭାସ ସମସ୍ତଙ୍କ ପାଇଁ ‘ବାହୁବଲୀ’ ।