ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର (ବିସିସିଆଇ) ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ସୌରଭ ଗାଙ୍ଗୁଲି। ୩୯ତମ ଅଧ୍ୟକ୍ଷ ଭାବେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହ ୧୯୫୪ ପରେ ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ବିସିସିଆଇର ଅଧ୍ୟକ୍ଷ ହୋଇଛନ୍ତି। ସୌରଭ ଦାୟିତ୍ୱ ନେବା ପରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ)ର ୩୩ମାସ ଧରି ଚାଲିଥିବା ଶାସନ ଯୁଗ ଶେଷ ହୋଇଛି। ବିସିସିଆଇର ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲିଙ୍କ ନାମାଙ୍କନ ସର୍ବସମ୍ମତିକ୍ରମେ ହୋଇଛି। ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ୯ମାସ ହେବ ଏବଂ ତାଙ୍କୁ ଜୁଲାଇ ମାସରେ ପଦ ଛାଡ଼ିବାକୁ ପଡ଼ିବ, କାରଣ ନୂଆ ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ ୬ବର୍ଷର କାର୍ଯ୍ୟକାଳ ପରେ କୁଲିଙ୍ଗ୍ ଅଫ୍ ପିରିୟଡ ବାଧ୍ୟତାମୂଳକ ଭାବେ ଲାଗୁ ହେବ । ଗାଙ୍ଗୁଲି ବିସିସିଆଇରେ ବେଙ୍ଗଲ୍ କ୍ରିକେଟ୍ ଆସୋସିଏସନ୍ (ସିଏବି)ର ସମ୍ପାଦକ ଏବଂ ପରେ ଅଧ୍ୟକ୍ଷ ପଦ ଭାବେ ପାଇଥିବା ଅଭିଜ୍ଞତାର ବ୍ୟବହାର କରିବେ। ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଓ କେନ୍ଦ୍ର ଅର୍ଥ ମନ୍ତ୍ରୀ (ରାଷ୍ଟ୍ରପାହ୍ୟା) ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ଧୁମଳ କୋଷାଧ୍ୟକ୍ଷ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ସଚିବ, କେରଳର ଜୟେଶ ଜଜ ଯୁଗ୍ମ ସଚିବ ଓ ଉତ୍ତରାଖଣ୍ଡର ମହୀମ ବର୍ମା ଉପସଭାପତି ପଦ ପାଇଁ ଦାୟିତ୍ୱ ନେବେ ।