ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଶୋଚନୀୟ ଭାବରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ନିଜ ଜନ୍ମଦିନରେ ଅଷ୍ଟ୍ରେଲିଆ ଓପ୍ନର ଡେଭିଡ୍ ଓ୍ବାର୍ଣ୍ଣର ଶତକ ହାସଲ କରିବାରୁ ଅଷ୍ଟ୍ରେଲିଆ ମୁକାବିଲାକୁ ୧୩୪ ରନ୍ର ବ୍ୟବଧାନରେ ବିଜୟୀ ହୋଇଥିଲା। ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଅଧିନାୟକ ଆରୋନ୍ ଫିଞ୍ଚ ଏବଂ ଡେଭିଡ୍ ଓ୍ବାର୍ଣ୍ଣର ପ୍ରଥମ ଓ୍ବିକେଟ୍ରେ ୧୨୨ ରନ୍ ଯୋଡିଥିଲେ। ଫିଞ୍ଚ ୩୬ ବଲ୍ର ସମ୍ମୁଖୀନ ହୋଇ ୬୪ ରନ୍ ସଂଗ୍ରହ କରିଥିବା ବେଳେ ଓ୍ବାର୍ଣ୍ଣର ୫୬ ବଲ୍ର ସମ୍ମୁଖୀନ ହୋଇ ୧୦୦ ରନ୍ ସଂଗ୍ରହ କରିଥିଲେ। ଓ୍ବାର୍ଣ୍ଣର ନିଜ ଇନିଂସରେ ୧୦ଟି ଚୌକା ଏବଂ ୪ଟି ଛକ୍କା ମାରିଥିଲେ। ମ୍ୟାକ୍ସଓ୍ବେଲ ଶେଷ ଭାଗରେ ୨୮ ବଲ୍ରୁ ୬୨ ରନ୍ ସଂଗ୍ରହ କରିଥିବା ବେଳେ ଅଷ୍ଟ୍ରେଲିଆ ୨୩୩ରନ୍ର ବିଶାଳ ସ୍କୋର ହାସଲ କରିଥିଲା। ଜବାବରେ ଶ୍ରୀଲଙ୍କା ୨୦ ଓଭରରେ ୯ ଓ୍ବିକେଟ୍ ହରାଇ ୯୯ ରନ୍ ସଂଗ୍ରହ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୧୪ ରନ୍ରେ ୩ଟି ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ପ୍ୟାଟ୍ କମିନ୍ସ ଏବଂ ମିଚେଲ୍ ଷ୍ଟାର୍କ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ। ଡେଭିଡ୍ ଓ୍ବାର୍ଣ୍ଣରଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା।