ସମୀକ୍ଷା ବ୍ୟୁରୋ
ବାଣପୁର ଥାନା ଅନ୍ତର୍ଗତ ମୁକ୍ତାଦେଇପୁର ଗ୍ରାମର ଅନିଲ୍ କୁମାର ଲେଙ୍କା ଓ ତାଙ୍କ ବାପା ଭାଇଙ୍କୁ ପୂର୍ବ ଶତ୍ରୁତାଙ୍କୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ କରାଯାଇଛି। ଏନେଇ ସେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, କାଲି ଦୀପାବଳି ଉପଲକ୍ଷେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ବନ୍ଧୁଙ୍କ ଘରକୁ ବଡ଼ବଡୁଆ ଡାକିବା ପାଇଁ ଯାଉଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କୁ ତାଙ୍କ ସାହି ମଣ୍ଡପ ନିକଟରେ ଆକ୍ରମଣ କରାଯାଇଛି। କିଛି ଅସାଧୁ ଲୋକେ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ।
ସେମାନେ ଠେଙ୍ଗା ସାହାଯ୍ୟରେ ତାଙ୍କୁ ଗୋଡେଇ ଗୋଡେଇ ପିଟିବା ସହିତ ଅଶ୍ରାବ୍ୟ ଭାଷାରେ ଗାଲିଗୁଲଜ କରି ତାଙ୍କୁ ଓ ତାଙ୍କ ଭାଇକୁ ଭୁଜାଲିରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସୁନିଲ୍ ଲେଙ୍କାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କ ବାପା ମେଘବାହନ ଲେଙ୍କା ଓ ତାଙ୍କୁ ଠେଙ୍ଗା ସାହାଯ୍ୟରେ ମାରଧର କରି ତାଙ୍କ ତଣ୍ଟିକୁ ମାଡ଼ି ବସି କାଟିବା ପାଇଁ ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ଲୋକେ ଆସୁଥିବାର ଦେଖି ଅଭିଯୁକ୍ତମାନେ ପଳାୟନ କରିଥିଲେ। ତାଙ୍କୁ ଓ ତାଙ୍କ ବାପା-ଭାଇଙ୍କୁ ପଡ଼ୋଶୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୂର୍ବରୁ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ପୂର୍ବ ଶତ୍ରୁତା କାରଣରୁ ସମ୍ପୃକ୍ତ ଅଭିଯୁକ୍ତମାନେ ମାନସିକ ଓ ସାମାଜିକ ନିର୍ଯ୍ୟାତନା ଦେଇ ଆସୁଥିଲେ ବୋଲି ଅନିଲ୍ ଲେଙ୍କା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଅଭିଯୁକ୍ତମାନେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି ବୋଲି ସେ ଅଭିଯୋଗ କରିବା ସହ ଏହି ଘଟଣାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ଅଭିଯୋଗକାରୀ ତଥା ପୀଡ଼ିତ ଅନିଲ୍ କୁମାର ଲେଙ୍କା।