ମହାରାଷ୍ଟ୍ର ସରକାର ଗଠନ ତଥା ସରକାରରେ ଭାଗିଦାରୀକୁ ନେଇ ଏବେବି ଛକାପଞ୍ଝା ଲାଗି ରହିଛି । ବିଜେପି ଓ ଶିବସେନା ମଧ୍ୟରେ ରହିଥିବା ଦ୍ବନ୍ଦ୍ବ ଅବସାନ ଘଟୁନଥିବାବେଳେ ଇତି ମଧ୍ୟରେ ମହାରାଷ୍ଟ୍ର ରାଜନୀତିରେ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । ମହାରାଷ୍ଟ୍ର କଂଗ୍ରେସର ନେତା ଓ ସାଂସଦ ହୁସୈନ ଦଲବଇ ପାର୍ଟିର କାମଚଳା ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ କରିବାକୁ ନେଇ ଚିଠି ଲେଖିଛନ୍ତି ।
ହୁସୈନ୍ ସୋନିଆ ଗାନ୍ଧିଙ୍କୁ ଅପିଲ୍ କରି କହିଛନ୍ତି ଯେ, ରାଷ୍ଟ୍ରବାଦୀ କଂଗ୍ରେସ (ଏନ୍ସିପି), କଂଗ୍ରେସ ଓ ଶିବସେନା ମିଳିତ ଭାବରେ ସରକାର ଗଠନ କରିବା ଦରକାର ।
ମହାରାଷ୍ଟ୍ରର ବିଜେପି ଓ ଶିବସେନା ମଧ୍ୟରେ ସରକାର ଗଠନ ନେଇ ସହମତି ସ୍ଥାପନ ହୋଇପାରୁନାହିଁ । ଯଦି ଏହି ସମୟରେ ମେଣ୍ଟ ଗଠନ କରାଯାଇ ଶିବସେନା ସହିତ ସରକାର ଗଠନ କରିହେବ । କଂଗ୍ରେସ ସାଂସଦ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ରାଷ୍ଟ୍ରପତି ପ୍ରତିଭା ଦେବୀ ପାଟିଲ୍ ଓ ପ୍ରଣବ ମୁଖାର୍ଜୀଙ୍କ ନିର୍ବାଚନ ସମୟରେ ଶିବସେନା କଂଗ୍ରେସ ସହିତ ସାଥ୍ ଦେଇଥିଲା ।
ହୁସୈନ ଆହୁରି ମଧ୍ୟ କହିଛନ୍ତି ଯେ, ମତଦାତାମାନେ ଭାଜାପାକୁ ସ୍ପଷ୍ଟ ବହୁମରୁ ବଞ୍ଚିତ କରି ଘୃଣା ରାଜନୀତିକୁ ରୋକିବାକୁ ଚାହିଁଛନ୍ତି । ମେଣ୍ଟ କରିବା ଦ୍ବାରା ଭାଜାପାକୁ କ୍ଷମତାସୀନ ହେବାରୁ ରୋକିବାରେ ସମର୍ଥ ହୋଇପାରିବ ।
ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଏକପ୍ରକାର ସଂଶୟ ଦେଖାଦେଇଛି । ନିର୍ବାଚନ ପୂର୍ବରୁ ବିଜେପି ଓ ଶିବସେନା ମିଳିତ ଭାବରେ ନିର୍ବାଚନ ଲଢିଥିବାବେଳେ ନିର୍ବାଚନ ପରେ ଏହି ମେଣ୍ଟରେ ଫାଟ ସୃଷ୍ଟି ହୋଇଛି । ଶିବସେନା ନିଜ ୫୦-୫୦ ଜିଦ୍ରେ ଅଡ଼ି ବସିଥିବାବେଳେ ଏନ୍ସିପି ଓ ଅନ୍ୟ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନ ମଧ୍ୟ ହାସଲ କରିପାରିଛି । ଗୋଟିଏ ପକ୍ଷରେ ବିଜେପି ସରକାର ଗଠନ କରିବାକୁ ବସିଥିବାବେଳେ ଶିବସେନା ହିଁ ମୁଖ୍ୟମନ୍ତ୍ରୀ ହେବ ବୋଲି ଦୃଢୋକ୍ତି ପ୍ରକାଶ କରୁଛି । ଏପରି କ୍ଷେତ୍ରରେ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଏକ ପ୍ରକାର ଅନିଶ୍ଚିତତା ଦେଖାଦେଇଛି ।