ସମୀକ୍ଷା ବ୍ୟୁରୋ
ଖୋର୍ଦ୍ଧା ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସହଯୋଗରେ ବାଲୁଗାଁ ସ୍ଥିତ ମତ୍ସ୍ୟ ତାଲିମ ଅନୁଷ୍ଠାନରେ ଦୁଇଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଣପୁର ଓ ଚିଲିକା ବ୍ଲକର ୧୫ ଗୋଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ୩୦ ଜଣ ସଭ୍ୟା ଓ ପ୍ରାଣୀ ମିତ୍ରଙ୍କୁ ଦୀର୍ଘମିଆଦୀ ସୂତ୍ରରେ ନେଇଥିବା ଗ୍ରାମ ପଞ୍ଚାୟତ ପୋଖରୀଗୁଡ଼ିକରେ ବୈଜ୍ଞାନିକ ପ୍ରଣାଳୀରେ ମାଛ ଚାଷ କରି କିଭଳି ଅଧିକ ମାଛ ଉତ୍ପାଦନ ହୋଇପାରିବ ସେହି ବିଷୟରେ ତାଲିମ ପ୍ରଦାନ କରାଯାଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ମୁରଲୀଧର ଜେନା ଯୋଗଦାନ କରି ମାଛ ଚାଷ ସମ୍ପର୍କରେ ବୁଝାଇଥିଲେ ।
ବିଶ୍ବ ମତ୍ସ୍ୟ ସଂସ୍ଥାର ଜୋନାଲ୍ ମେନେଜର୍ କ୍ଷୀରୋଦ ନାୟକ ଯୋଗଦାନ କରି ବୈଜ୍ଞାନିକ ପ୍ରଣାଳୀରେ ମାଛଚାଷ କରି କିପରି ଲାଭବାନ ସାଙ୍ଗକୁ ସ୍ବାବଲମ୍ବୀ ହୋଇପାରିବ ବିଶଦ୍ ଭାବେ ବର୍ଣ୍ଣନା କରିଥିଲେ । ପୋଖରୀ ପ୍ରସ୍ତୁତିଠାରୁ ମାଛ ଜାଆଁଳ (ମୁଣ୍ଡା ଜାଆଁଳା) ଛାଡିବା କିଭଳି, ଚୁନ, ସାର ଓ ଖାଦ୍ୟର ପ୍ରୟୋଗ କରାଯିବ ଓ ରୋଗ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବ ପ୍ରଭୃତି ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚିଲିକା ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀ ସୁଷମା ବାରିକ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ପ୍ରଭୃତି ଯୋଗଦାନ କରିଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ ଖୋର୍ଦ୍ଧାଙ୍କ କାର୍ଯ୍ୟାଳୟର ଅତିରିକ୍ତ ମତ୍ସ୍ୟଅଧିକାରୀ ବିଭୂତି ରଞ୍ଜନ ରାଉତ ଓ ସରକାରୀ ମତ୍ସ୍ୟ ଅଧିକାରୀ ରବୀନ୍ଦ୍ର କୁମାର ମହାନ୍ତି ତାଲିମ କେନ୍ଦ୍ରକୁ ପରିଚାଳନା କରିଥିଲେ ।