ସମ୍ପ୍ରତି ଦେଶର ରାଜଧାନୀ ବାୟୁ ପ୍ରଦୂଷଣ ନେଇ ସେଠାରେ ଜୀବନଯାପନ କଷ୍ଟକର ହୋଇପଡିଥିବାବେଳେ ସାରା ଦେଶ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି । ଦେଶରେ ବାୟୁ ପ୍ରଦୂଷଣର ସ୍ଥିତି ସଙ୍ଗୀନ୍ ଥିବାବେଳେ ରାଜ୍ୟର ସବୁଠୁ ଅଧିକ ପ୍ରଦୂଷିତ ସହର ଭାବେ ସ୍ମାର୍ଟ ସିଟି ଭୁବନେଶ୍ବର ସର୍ବାଗ୍ରେ ରହିଛି । ରାଜ୍ୟର ସବୁଠୁ ଅଧିକ ପ୍ରଦୂଷିତ ସହର ମଧ୍ୟରେ ରାଜଧାନୀ ଭୁବନେଶ୍ବର । ଭୁବନେଶ୍ୱର ସମେତ କଟକ, ଅନୁଗୁଳ, ତାଳଚେର, ବାଲେଶ୍ୱର, ରାଉରକେଲା ଓ କଳିଙ୍ଗନଗର ସବୁଠୁ ଅଧିକ ପ୍ରଦୂଷିତ। କଳକାରଖାନାରୁ ନିର୍ଗତ ଦୂଷିତ ଜଳ, ପ୍ଲାଷ୍ଟିକର ବ୍ୟବହାର, ସଫେଇ ନହେବା ଏବଂ ବିଭିନ୍ନ କ୍ଷେତ୍ରରେ ଅଧିକରୁ ଅଧିକ ଅଙ୍ଗାରକାମ୍ଲ ନିର୍ଗତ ଏହାର ପ୍ରମୁଖ କାରଣ ବୋଲି ବୈଠକରେ ପ୍ରକାଶ ପାଇଛି। ସେହିପରି ରାଜ୍ୟର ୯ଟି ନଦୀର ଅବବାହିକା ପ୍ରଦୂଷିତ ହୋଇଛି। ସେଥିରୁ ଗଙ୍ଗୁଆ ନାଳ ସର୍ବାଧିକ ପ୍ରଦୂଷିତ ହୋଇଥିବା ଜଣାପଡ଼ିଛି। ଆଜି ପରିବେଶ ସଂକ୍ରାନ୍ତିୟ ଗୃହ କମିଟି ବୈଠକ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହି ବୈଠକରେ ବାଚସ୍ପତି ସୂଯ୍ୟନାରାୟଣ ପାତ୍ରଙ୍କ ସମେତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଦେବୀଦତ୍ତ ଓ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ରହି ଥିଲେ।