ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଚାଲିଥିବା ଅଚଳାବସ୍ଥାରେ ପ୍ରତ୍ୟେକ ଦିନ କିଛି ନୂଆ ନୂଆ ରୋଚକ ମୋଡ଼ ଦେଖିବାକୁ ମିଳୁଛି । ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପି ଓ ଶିବସେନା ମଧ୍ୟରେ ଅଙ୍କ ଛିଡୁନାହିଁ । ଶିବସେନା ୫୦-୫୦ ଫର୍ମୁଲାକୁ ନେଇ ଜିଦ୍ରେ ବସିଥିବାବେଳେ ଶିବସେନା ଆରଏସଏସ୍ ମୁଖ୍ୟଙ୍କୁ ଚିଠି ଲେଖିଥିବାର ଜଣାପଡିଛି ଶିବସେନା ନେତା କିଶୋର ତିଓ୍ବାରୀ ମହାରାଷ୍ଟ୍ର ରାଜନୀତିକୁ ନେଇ ମୋହନ ଭାଗବତଙ୍କୁ ଚିଠି ଲେଖିବା ସହ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ଅନ୍ୟପଟେ ଏନେଇ ସେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀଙ୍କ ସହ ଆଲୋଚନା କରିବେ ବୋଲି ଏଥିରେ ଉଲ୍ଲେଖ କରିଛନ୍ତି। ବିଜେପି ‘ମେଣ୍ଟ ଧର୍ମ’କୁ ପାଳନ କରୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।ଆସନ୍ତା ୯ ତାରିଖରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହେବାକୁ ଥିବାବେଳେ ଆଜି ପର୍ଯ୍ୟନ୍ତ ସରକାର ଗଠନ ହେବା ନେଇ କିଛି ସ୍ଥିର ନିଷ୍ପତ୍ତି ହୋଇପାରୁନାହିଁ।