ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ବିଜେପି ଏବଂ ଶିବସେନା ମଧ୍ୟରେ କ୍ଷମତା ଯୁଦ୍ଧ ନୂତନ ମୋଡରେ ପହଞ୍ଚିଛି। ସରକାର ଗଠନ ନିମନ୍ତେ 72 ଘଣ୍ଟାର ସମୟ ବାକି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଏବଂ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଏନ୍ସିପି ମୁଖ୍ୟ ଶରଦ ପଓ୍ବାରଙ୍କୁ ଭେଟିଛନ୍ତି। ଉଭୟ ଦଳ ମଧ୍ୟରେ ଲାଗି ରହିଥିବା କ୍ଷମତା ଯୁଦ୍ଧର ଅବସାନ ଘଟାଇ ସରକାର ଗଠନ କରିବା ପାଇଁ ନାଗପୁରରେ ଭାଗବତଙ୍କୁ ଭେଟିଛନ୍ତି ଫଡନବିସ୍। ଅନ୍ୟପକ୍ଷରେ ରାଉତ ଶରଦ ପଓ୍ବାରଙ୍କ ବାସଭବନରେ ତାଙ୍କୁ ଭେଟିଛନ୍ତି। ଫଡନବିସ୍ଙ୍କ ସହିତ ଭେଟ ପରେ ମହାରାଷ୍ଟ୍ର ସଙ୍କଟ ମୁକାବିଲା କରିବା ପାଇଁ ଆଲୋଚନା ନିମନ୍ତେ ନୀତିନ ଗଡକରୀଙ୍କ ନାମ ସୁପାରିଶ କରିଛି ଆରଏସ୍ଏସ୍। ଏନ୍ସିପି ଏବଂ ଶିବସେନା ମେଣ୍ଟ ନେଇ ସମ୍ଭାବନା ଦେଖା୍ଦେଇଥିଲେ ମଧ୍ୟ ଏହା ଫଳପ୍ରଦ ହେବାର ସମ୍ଭାବନା କମ୍ ରହିଛି। ଉଭୟ ଦଳ ନିକଟରେ ଆବଶ୍ୟକ ସଂଖ୍ୟ ଉପଲବ୍ଧ ନଥିବା ବେଳେ କଂଗ୍ରେସ ସମର୍ଥନ ପ୍ରଦାନ କରିବ ନାହିଁ ବୋଲି ସୋନିଆ ଗାନ୍ଧୀ ସ୍ପଷ୍ଟ କରି ସାରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଶିବସେନା ପକ୍ଷରୁ ଅଢେଇ ବର୍ଷୀୟ ମୁଖ୍ୟମନ୍ତ୍ରୀତ୍ବର ଦାବି କରାଯିବା ନେଇ ବିଜେପି ଏବଂ ଶିବସେନା ମଧ୍ୟରେ ବିବାଦ ଦେଖାଦେଇଛି।