ସମ୍ପ୍ରତି ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଚିତ୍ର କିଛି ସ୍ପଷ୍ଟ ହୋଇନଥିବାବେଳେ ଏହାକୁ ନେଇ ଦେଶ ରାଜନୀତିରେ ବେଶ୍ ଚହଳ ଦେଖାଯାଉଛି । ସମସ୍ତଙ୍କ ନଜର ମହାରାଷ୍ଟ୍ର ସରକାର ଗଠନ ଉପରେ ରହିଛି । ମହାରାଷ୍ଟ୍ରରେ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ୯ ତାରିଖରେ ସରିବାକୁ ରହିଛି । ଏହା ମଧ୍ୟରେ ରାଜ୍ୟର ରାଜନୀତିକୁ ନେଇ କିଛି ବଡ଼ ଖବର ଶୁଣିବାକୁ ମିଳୁଛି । ଶିବସେନାର ପ୍ରମୁଖ ଉଦ୍ଧବ ଠାକ୍ରେ ଆସନ୍ତାକାଲି ଗୁରୁବାର ବିଧାୟକ ଦଳର ବୈଠକ ଡାକିଛନ୍ତି । ଏହି ବୈଠକ ମାତୋଶ୍ରୀଠାରେ ଅନୁଷ୍ଠିତ ହେବ । ସକାଳ ୧୧ଟା ସମୟରେ ଏହି ବୈଠକ ଆରମ୍ଭ ହେବ । ରାଜ୍ୟରେ ବିଧାନସଭା ନିର୍ବାଚନରେ ଶିବସେନା ୫୬ଟି ଆସନ ଜିତିଥିବାବେଳେ ଦଳକୁ କିଛି ନିର୍ଦ୍ଦଳୀୟ ବିଧାୟକ ସମର୍ଥନ କରୁଛନ୍ତି । ତେବେ ଏବେବି ମହାରାଷ୍ଟ୍ର ସରକାରକୁ ନେଇ ଚିତ୍ର କିଛି ସ୍ପଷ୍ଟ ହୋଇନାହିଁ । ଚଳିତ ନିର୍ବାଚନକୁ ବିଜେପିର ସହଯୋଗୀ ଦଳ ଭାବେ ମଇଦାନକୁ ଓହ୍ଲାଇଥିବାବେଳେ ନିର୍ବାଚନୀ ପରିଣାମ ପରେ ୫୦-୫୦ ଫର୍ମୁଲାକୁ ନେଇ ଅଡି ବସିଛି ଶିବସେନା । ରାଜ୍ୟରେ ଶିବସେନା ଓ ବିଜେପି ମେଣ୍ଟ ସରକାର ଗଠନ କରିବେ ବୋଲି ସୂତ୍ରରୁ ଖବର ମିଳୁଥିବାବେଳେ ଏହାକୁ ନେଇ କିଛି ସ୍ପଷ୍ଟ ହୋଇପାରୁନାହିଁ ।