ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟ ଆସିବା ପରେ ଏହାକୁ ନେଇ ଶିବସେନା ଏକ ବଡ଼ ବୟାନ ଦେଇଛି । ଅଯୋଧ୍ୟା ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି ପରେ ବିବାଦୀୟ ଜମି ଉପରେ ରାମ ମନ୍ଦିର ନିର୍ମାଣ ହେବା ରାସ୍ତା ସଫା ହୋଇଯାଇଛି । କୋର୍ଟ ତିନି ମାସ ମଧ୍ୟରେ ରାମ ମନ୍ଦିର ନିର୍ମାଣ ନେଇ ଟ୍ରଷ୍ଟ ଗଠନ କରିବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି । କୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ଶିବସେନା ମହାରାଷ୍ଟ୍ରରେ ସରକାର ଗଢିବା ପୂର୍ବରୁ ପ୍ରଥମେ ମନ୍ଦିର ନିର୍ମାଣର ନାରା ଦେଇଛି । ଶିବସେନାର ନେତା ସଞ୍ଜୟ ରାଉତ ରାମ ମନ୍ଦିର ନିର୍ମାଣ ଉପରେ ନିଷ୍ପତ୍ତି ଆସିବା ପରେ ଟୁଇଟ୍ କରି କହିଛନ୍ତି ଯେ, ‘ପ୍ରଥମେ ମନ୍ଦିର, ପରେ ସରକାର !!! ଅଯୋଧ୍ୟାରେ ମନ୍ଦିର, ମହାରାଷ୍ଟ୍ରରେ ସରକାର… ଜୟଶ୍ରୀରାମ ।’ ମହାରାଷ୍ଟ୍ରରେ ବିଜେପି ଓ ଶିବସେନାର ମେଣ୍ଟ ଏବେ ଭାଙ୍ଗିବାର ଦ୍ବାରଦେଶରେ ପହଞ୍ଚିଛି । ୨୪ ଅକ୍ଟୋବରରେ ବିଧାନସଭାରେ ବାଜିମାତ୍ କରିଥିଲେ ମଧ୍ୟ ଏହି ମେଣ୍ଟ ସରକାର ସରକାର ଗଠନ କରିପାରିନାହିଁ । ଅଯୋଧ୍ୟା ରାୟ ପରେ ଶିବସେନାର ଏହି ମନ୍ତବ୍ୟ ସରକାର ଗଠନକୁ ଏକ ନୂଆ ମୋଡ଼ ଦେଇଛି । ମନ୍ଦିର ନିର୍ମାଣ ପରେ ସରକାର ଗଠନ ନେଇ ନିଜର ମତ ରଖିଛନ୍ତି ରାଉତ । ବିବାଦୀୟ ଜାଗାରେ ରାମମନ୍ଦିର ନିର୍ମାଣ ହେବାକୁ ନିଷ୍ପତ୍ତି ଶୁଣାଇଥିବାବେଳେ ମୁସଲିମ୍ ପକ୍ଷଙ୍କୁ ଅଲଗା ସ୍ଥାନରେ ଜମି ଦେବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମସ୍ଜିଦ୍ ନିର୍ମାଣରେ ସହାୟତା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।