
ନୂଆଦିଲ୍ଲୀ, 25/11 : କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ଟ୍ବିଟ୍ଟର ଆକାଉଣ୍ଟରୁ କଂଗ୍ରେସ ଶବ୍ଦଟିକୁ ହଟାଇଛନ୍ତି । ପୂର୍ବରୁ ସେ ନିଜ ନାମ ପରେ ପରେ କଂଗ୍ରେସ ନେତା ବୋଲି ଉଲ୍ଲେଖ କରିଥିଲେ। ହେଲେ ସିନ୍ଧିଆ ବର୍ତ୍ତମାନ ନିଜର ବାୟୋ “public servant and cricket enthusiast” କୁ ପରିବର୍ତ୍ତନ କରିଦେଇଛନ୍ତି। ଫଳରେ ଏହାକୁ ନେଇ ଦେଶ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସିନ୍ଧିଆଙ୍କ ଏପରି ପରିବର୍ତ୍ତନ ଦ୍ବାରା ତାଙ୍କ ସହିତ କଂଗ୍ରେସ ନେତାଙ୍କ ମଧ୍ୟରେ ଥିବା ବିବାଦ ପଦାରେ ପଡିଛି। ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ହେବା ପାଇଁ ସିନ୍ଧିଆ ଏବଂ କଂଗ୍ରେସ ନେତୃବୃନ୍ଦଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ସିନ୍ଧିଆଙ୍କ ଏହି ପଦକ୍ଷେପ ପରେ ମଧ୍ୟପ୍ରଦେଶ ରାଜନୀତି ଓଲଟପାଲଟ ହେବାର ସମ୍ଭାବନା ଦେଖାଦେଇଛି । ଉଲ୍ଲେଖଯୋଗ୍ୟ ଯେ, ଲୋକସଭା ନିର୍ବାଚନ ପରେ ରାହୁଲଙ୍କ ଘନିଷ୍ଠ ସହଯୋଗୀ ରହିଥିବା ସିନ୍ଧିଆ କଂଗ୍ରେସର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ପ୍ରଦାନ କରିଥିଲେ।