
ହାଇଦ୍ରାବାଦ,2/12: ହାଇଦ୍ରାବାଦର ମହିଳା ପଶୁ ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜି ସରଗରମ ରହିଛି ସଂସଦ ଭବନ । ଏହି ମାମଲାରେ ରାଜ୍ୟସଭାରେ 2ଜଣ ସାଂସଦ କଡା ଟିପ୍ପଣୀ ରଖିଛନ୍ତି। ଏପରିକି ଏସପି ସାଂସଦ ଜୟା ବଚ୍ଚନ ଦୋଷୀଙ୍କୁ ଲୋକମାନଙ୍କ ହାତରେ ଟେକି ଦେବାକୁ କହିଛନ୍ତି । ରାଜ୍ୟସଭାରେ ଚର୍ଚ୍ଚା ସମୟରେ ଜୟା ବଚ୍ଚନ କହିଛନ୍ତି ଯେ, ବଳାତ୍କାରୀଙ୍କୁ ବାହାରକୁ ଆଣି ଲୋକମାନଙ୍କ ହାତରେ ଦେଇ ଦେବା ଉଚିତ୍। ସେହିପରି ଏଆଇଡିଏମକେର ସାଂସଦ ବିଜିଲା ସତ୍ୟାନନ୍ଦ ଦୋଷୀଙ୍କୁ ଏକ ମାସ ମଧ୍ୟରେ ଫାଶୀ ଦେବାକୁ ଦାବି କରିଛନ୍ତି । ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହାଇଦ୍ରାବାଦ ଘଟଣାକୁ ଅମାନବୀୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ବଳାତ୍କାର ମାମଲାରେ ସମସ୍ତ ଦଳର ସଦସ୍ୟ ଯେତିକି କଠୋର ହେବାକୁ ଚାହୁଁଛନ୍ତି ସରକାର ସେଥିପାଇଁ ପ୍ରସ୍ତୁତ ।(ଏଜେନ୍ସୀ)