Categories
ଆଞ୍ଚଳିକ

ପ୍ରିୟଙ୍କା ରେଡ୍ଡୀଙ୍କୁ ନ୍ୟାୟ ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ହିଞ୍ଜିଳିକାଟୁ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦାବିପତ୍ର

ସମୀକ୍ଷା ବ୍ୟୁରୋ
ହିଞ୍ଜିଳିକାଟୁ,୦୩/୧୨: ଦେଶରେ ଦିନକୁ ଦିନ ଦୁଷ୍କର୍ମ ବଢି ଚାଲିଥିବା ବେଳେ ମହିଳା ମାନେ ଅସୁରକ୍ଷିତ ହୋଇ ପଡୁଛନ୍ତି। ହାଇଦ୍ରାବାଦରେ ମହିଳା ପଶୁଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଅମାନବୀୟ ଭାବରେ ଦୁଷ୍କର୍ମ ପରେ ପୋଡି ମାରି ଦିଆଯାଇଛି। ଏହା ସହିତ ରାଜ୍ୟରେ ନିୟମିତ ଦୁଷ୍କର୍ମର ଖବର ଆସୁଥିବାରୁ ମହିଳା ମାନେ ସମାଜରେ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଅନୁମେୟ। ଏହି ଘଟଣାକୁ ନେଇ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସଂସଦ ଭବନରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଗଞ୍ଜାମର ହିଞ୍ଜିଳିକାଟୁ ସ୍ଥିତ ସ୍ବୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଦୋଷୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପଠାଇଛନ୍ତି। ଏପରି ଘଟଣାରେ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବା ଉଚିତ୍‌ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି। ଅଭିଯୁକ୍ତଙ୍କୁ ଫାଶୀ ଦେବା ସହିତ ଯେପରି ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତି ନ ହୁଏ ସେ ନେଇ ନିୟମ ପ୍ରଣୟନ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। କଲେଜର ଛାତ୍ରଛାତ୍ରୀ ଏକ ବିଶାଳ ଶୋଭାଯାତ୍ରା କରି ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ରଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ।

Categories
ଆଜିର ଖବର

ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା : ଅଭିଯୁକ୍ତଙ୍କୁ ଜନତାଙ୍କ ହାତକୁ ଦେବାକୁ ଜୟାଙ୍କ ଦାବି

ହାଇଦ୍ରାବାଦ,2/12:  ହାଇଦ୍ରାବାଦର ମହିଳା ପଶୁ ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜି ସରଗରମ ରହିଛି ସଂସଦ ଭବନ । ଏହି ମାମଲାରେ ରାଜ୍ୟସଭାରେ 2ଜଣ ସାଂସଦ କଡା ଟିପ୍ପଣୀ ରଖିଛନ୍ତି। ଏପରିକି ଏସପି ସାଂସଦ ଜୟା ବଚ୍ଚନ ଦୋଷୀଙ୍କୁ ଲୋକମାନଙ୍କ ହାତରେ ଟେକି ଦେବାକୁ କହିଛନ୍ତି । ରାଜ୍ୟସଭାରେ ଚର୍ଚ୍ଚା ସମୟରେ ଜୟା ବଚ୍ଚନ କହିଛନ୍ତି ଯେ, ବଳାତ୍କାରୀଙ୍କୁ ବାହାରକୁ ଆଣି ଲୋକମାନଙ୍କ ହାତରେ ଦେଇ ଦେବା ଉଚିତ୍। ସେହିପରି ଏଆଇଡିଏମକେର ସାଂସଦ ବିଜିଲା ସତ୍ୟାନନ୍ଦ ଦୋଷୀଙ୍କୁ ଏକ ମାସ ମଧ୍ୟରେ ଫାଶୀ ଦେବାକୁ ଦାବି କରିଛନ୍ତି । ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହାଇଦ୍ରାବାଦ ଘଟଣାକୁ ଅମାନବୀୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ବଳାତ୍କାର ମାମଲାରେ ସମସ୍ତ ଦଳର ସଦସ୍ୟ ଯେତିକି କଠୋର ହେବାକୁ ଚାହୁଁଛନ୍ତି ସରକାର ସେଥିପାଇଁ ପ୍ରସ୍ତୁତ ।(ଏଜେନ୍ସୀ)