ପ୍ରିୟଙ୍କା ରେଡ୍ଡୀଙ୍କୁ ନ୍ୟାୟ ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ହିଞ୍ଜିଳିକାଟୁ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦାବିପତ୍ର

Published: Dec 3, 2019, 9:50 am IST

ସମୀକ୍ଷା ବ୍ୟୁରୋ
ହିଞ୍ଜିଳିକାଟୁ,୦୩/୧୨: ଦେଶରେ ଦିନକୁ ଦିନ ଦୁଷ୍କର୍ମ ବଢି ଚାଲିଥିବା ବେଳେ ମହିଳା ମାନେ ଅସୁରକ୍ଷିତ ହୋଇ ପଡୁଛନ୍ତି। ହାଇଦ୍ରାବାଦରେ ମହିଳା ପଶୁଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଅମାନବୀୟ ଭାବରେ ଦୁଷ୍କର୍ମ ପରେ ପୋଡି ମାରି ଦିଆଯାଇଛି। ଏହା ସହିତ ରାଜ୍ୟରେ ନିୟମିତ ଦୁଷ୍କର୍ମର ଖବର ଆସୁଥିବାରୁ ମହିଳା ମାନେ ସମାଜରେ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଅନୁମେୟ। ଏହି ଘଟଣାକୁ ନେଇ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସଂସଦ ଭବନରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଗଞ୍ଜାମର ହିଞ୍ଜିଳିକାଟୁ ସ୍ଥିତ ସ୍ବୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଦୋଷୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପଠାଇଛନ୍ତି। ଏପରି ଘଟଣାରେ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବା ଉଚିତ୍‌ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି। ଅଭିଯୁକ୍ତଙ୍କୁ ଫାଶୀ ଦେବା ସହିତ ଯେପରି ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତି ନ ହୁଏ ସେ ନେଇ ନିୟମ ପ୍ରଣୟନ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। କଲେଜର ଛାତ୍ରଛାତ୍ରୀ ଏକ ବିଶାଳ ଶୋଭାଯାତ୍ରା କରି ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ରଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ।

Related posts