ପାଟନା, ୩/୧୨: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ଯାଦବ ପୁଣିଥରେ ବିନା ପ୍ରତିଦ୍ବନ୍ଦ୍ବୀରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଔପଚାରିକ ଭାବେ ଏହା ଘୋଷଣା ହେବାକୁ ବାକି ରହିଛି । ଜେଲ୍ରେ ରହି ଲାଲୁ ଦଳର କମାଣ ସମ୍ଭାଳିବେ । ୧୧ ଥର ଲାଗି ଲାଲୁ ଆର୍ଜେଡି ଅଧ୍ୟକ୍ଷ ପଦରେ ବସିଛନ୍ତି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଡିସେମ୍ବର ୨୩, ୨୦୧୭ରୁ ବିର୍ସାମୁଣ୍ଡା ସେଣ୍ଟ୍ରାଲ ଜେଲ୍ରେ ଥିବା ଲାଲୁ ପ୍ରସାଦ ଯାଦବ ଏବେ ସ୍ବାସ୍ଥ୍ୟଗତ କାରଣରୁ ରାଞ୍ଚିର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ୍ କେଡିକାଲ ସାଇନ୍ସେସ୍(ରିମ୍ସ)ରେ ଚିକିତ୍ସିତ ହେଉଛନ୍ତି। ତେବେ ଆରଜେଡିର ଅଧ୍ୟକ୍ଷ ପଦବୀ ପାଇଁ ତେଜସ୍ବୀଙ୍କ ନାମ ଆଗରେ ରହିଥିଲା । କିନ୍ତୁ ଲାଲୁ ବୁଝିବିଚାରି ଏପରି ନିଷ୍ପତ୍ତି ନେଇଛନ୍ତି । ଦଳର ଅଧ୍ୟକ୍ଷ ପଦ ପାଇଁ ବଡ଼ପୁଅ ତେଜପ୍ରତାପ, ସାନପୁଅ ତେଜସ୍ବୀ ଓ ଝିଅ ମିସା ଭାରତୀଙ୍କ ମଧ୍ୟରେ ପୂର୍ବରୁ ଭୁଲ୍ ବୁଝାମଣା ରହିଆସିଛି । ଏବଂ ପାରିବାରିକ କନ୍ଦଳକୁ ରାଜନୀତିଠାରୁ ଦୂରେଇ ରଖିବାକୁ ଲାଲୁ ଏପରି ନିଷ୍ପତ୍ତି ନେଇଥିବାର ଅନୁମାନ କରାଯାଉଛି । ଅପରପକ୍ଷରେ ଦଳରେ ଏପରି କୌଣସି ନେତା ନାହାନ୍ତି, ଯାହାଙ୍କୁ ସମେସ୍ତ ଦଳର ନେତା ବୋଲି ଗ୍ରହଣ କରିବେ । ଲାଲୁ ଜେଲ୍ରେ ରହି ମଧ୍ୟ ପରିବାର ଓ ଦଳକୁ ଭଲ ଭାବେ ସମ୍ଭାଳିଛନ୍ତି । ଜେଲରେ ରହି ପୁତ୍ର ତେଜସ୍ବୀଙ୍କ ମୁଖ୍ୟମନ୍ତ୍ରୀ ହେବା ନିମନ୍ତେ ସ୍କ୍ରିପ୍ଟ ପ୍ରସ୍ତୁତ କରିବେ ଲାଲୁ ।(ଏଜେନ୍ସି)