ଭୁବନେଶ୍ବର, ୭/୧୨: ଆଜି ଅଭିଭାବକ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଡେପୁଟି କମିଶନରଙ୍କ ଅଫିସ ଘେରାଉ କରିଛନ୍ତି। ଭୁବନେଶ୍ୱର ମଞ୍ଚେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୩ର ଛାତୀ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ଅଭିଭାବକମାନେ ତାତିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟରେ ପିଲାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଭାବକ ଅଭିଯୋଗ କରିଛନ୍ତି। ବିନା କାରଣରେ ପିଇଟି ଶିକ୍ଷୟିତ୍ରୀ ଛାତ୍ରୀଜଣଙ୍କୁ ଗାଳିଗୁଲଜ କରିବା ସହ ଚରିତ୍ରକୁ ନେଇ ପ୍ରଶ୍ନ ଉଠାଉଥିବା ଅଭିଯୋଗ ହୋଇଛି। ଏନେଇ ବିଦ୍ୟାଳୟ ଛାତରୁ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ବିରୋଧରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଭିଭାବକ ଦାବି କରିଛନ୍ତି। ଏହା ସହ ଅଭିଭାବକମାନେ ଶିକ୍ଷୟିତ୍ରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ ଡେପୁଟି କମିଶନରଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି। ଶୁକ୍ରବାର ଦିନ ଶିକ୍ଷୟିତ୍ରୀଜଣକ ଛାତ୍ରୀଙ୍କୁ ସାମାନ୍ୟ କୌଣସି ଏକ କଥାକୁ ନେଇ ମାଡ଼ ମାରିଥିଲେ। ଶିକ୍ଷୟିତ୍ରୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ଗତକାଲି ଅପରାହ୍ନରେ ଏକାଦଶ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ବିଦ୍ୟାଳୟର ତୃତୀୟ ମହଲା ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ହାତ, ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। (ଏଜେନ୍ସି)